ଅଞ୍ଚଳ ପାଇଁ ଗୌରବ ଆଣିଲେ ଗୋରା ସିଂ: OPSC ପରୀକ୍ଷାରେ ୬୩ତମ ର଼୍ୟାଙ୍କ ରଖି କୃତକାର୍ଯ୍ୟ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କିର୍ତ୍ତି): ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ଆଗରେ ହାର ମାନିଛି ଦାରିଦ୍ର୍ୟ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସୁଯୋଗ୍ୟ ସନ୍ତାନ ଗୋରା ସିଂ ମାଝୀ ନିଜର ନିଷ୍ଠା ବଳରେ ଆଜି ସମଗ୍ର ଅଞ୍ଚଳ ପାଇଁ ଗୌରବ ସାଜିଛନ୍ତି। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ୱାରା ପରିଚାଳିତ ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ପରୀକ୍ଷାରେ ସେ ରାଜ୍ୟସ୍ତରରେ ୬୩ତମ ର଼୍ୟାଙ୍କ ହାସଲ କରି କୃତକାର୍ଯ୍ୟ ହୋଇଛନ୍ତି। ବର୍ତ୍ତମାନ ସେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗରେ ଜଣେ ଉଚ୍ଚପଦସ୍ଥ ଅଧିକାରୀ ଭାବେ ନିଜର ସେବା ପ୍ରଦାନ କରିବେ। ସିନ୍ଧିପଦର ଗ୍ରାମର ସ୍ବର୍ଗତ କୁମିଆ ମାଝୀ ଓ ମାଆ ସୁରୁ ଦେଇଙ୍କ ପୁଅ ଗୋରା ସିଂଙ୍କ ପାଇଁ ଏହି ସଫଳତା ସହଜ ନଥିଲା। ପିତାଙ୍କ ଅନ୍ତେ ଅଭାବ ଅନାଟନ ମଧ୍ୟରେ ଗୋପାଳପୁର ସରକାରୀ ଏସ.ଏସ.ଡି (SSD) ବାଳକ ଉଚ୍ଚ ବିଦ୍ୟାଳୟରୁ ପ୍ରଥମରୁ ଦଶମ ଶ୍ରେଣୀ ଶିକ୍ଷା ଶେଷ କରିଥିଲେ। ପରେ ଭୁବନେଶ୍ୱର ସ୍ଥିତ ହାଇ-ଟେକ ସାଇନ୍ସ କଲେଜରୁ ଯୁକ୍ତ ଦୁଇ ଓ ହାଇ-ଟେକ ଇଞ୍ଜିନିୟରିଂ କଲେଜରୁ ସିଭିଲ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଗୋରା ସିଂ ବର୍ତ୍ତମାନ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ଭାବେ କାର୍ଯ୍ୟରତ ଅଛନ୍ତି। ସରକାରୀ ଦାୟିତ୍ୱ ତୁଲାଇବା ସହିତ ସେ ନିଜର ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇନଥିଲେ। ଦିନରେ ପଞ୍ଚାୟତର କାମ ଓ ରାତିରେ ଅଧ୍ୟୟନ କରି ସେ OPSC ପରି କଠିନ ପରୀକ୍ଷାରେ ସଫଳତା ପାଇଛନ୍ତି। ଜଣେ PEO ଭାବେ ତୃଣମୂଳ ସ୍ତରରେ କାମ କରିବାର ଅଭିଜ୍ଞତା ତାଙ୍କୁ ଜଣେ ଦକ୍ଷ ଯନ୍ତ୍ରୀ ଭାବେ କାର୍ଯ୍ୟ କରିବାରେ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି। ‘ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳେ। ମୁଁ ମୋର ଏହି ସଫଳତା ପାଇଁ ମୋ ମାଆ, ବାପା ଏବଂ ଶିକ୍ଷକମାନଙ୍କୁ ଶ୍ରେୟ ଦେବାକୁ ଚାହେଁ ବୋଲି ସେ କହିଛନ୍ତି। ତାଙ୍କର ଏହି କୃତିତ୍ୱ ପାଇଁ ସିନ୍ଧିପଦର ଗ୍ରାମବାସୀଙ୍କ ସମେତ ସମଗ୍ର କଳାହାଣ୍ଡି ଜିଲା ତଥା ଥୁଆମୂଳ ରାମପୁର ବ୍ଲକରେ ଖୁସିର ଲହରି ଖେଳିଯାଇଛି। ଆଗାମୀ ଦିନରେ ସେ ଅଞ୍ଚଳର ବିକାଶ ପାଇଁ ନିଜକୁ ନିୟୋଜିତ କରିବେ ବୋଲି ଆଶା କରାଯାଉଛି।

Dharitri – The Largest & Most Trusted Odia Daily