ପୁରୁଷୋତ୍ତମପୁର,୧୬ା୯ (ସୀମାଞ୍ଚଳ ମିଶ୍ର): ପୁରୁଷୋତ୍ତପୁର ବ୍ଲକ୍ କାର୍ଯ୍ୟାଳୟ ପରିଷରେ ମଙ୍ଗଳବାର ଏକ ଅଭାବନିୟ ଘଟଣା ଦେଖାଦେଇଛି। ଘଟଣାଟି ଯେତିକି ଉତ୍ତେଜନାପୂର୍ଣ୍ଣ ରହିଥିଲା ସେତିକି କୌତୁହଳ ମଧ୍ୟ ରହିଥିଲା। ଏବିଡିଓ ଚୌକି ଛାଡ଼ି ଧାଉଁଥିବା ବେଳେ ମହିଳାମାନେ ପଛରେ ଗୋଡ଼ାଉଥିବା ଘଟଣା ବ୍ଲକ୍ ପରିଷରରେ ଉପସ୍ଥିତ ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଥିଲା। ଦୀର୍ଘ ଦିନହେଲା ଏବିଡିଓ ନିରାକାର ଜେନାଙ୍କ ବିରୋଧରେ ଲୋକଙ୍କ ମନରେ କୁହିଳୁଥିବା ଅଶୋନ୍ତୋଷର ନିଆଁ ଶେଷରେ ଉଗ୍ରରୁପ ନେଇଛି। ଏବିଡିଓଙ୍କ ନାମରେ ସଙ୍ଗିନ୍ ଅଭିଯୋଗ ଆଣି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି। ବିବାହ ପଞ୍ଜିକରଣ ନିମନ୍ତେ ହିତାଧିକାରୀଙ୍କଠାରୁ ଟଙ୍କା ନେବା ସହ ହିତାଧିକାରୀଙ୍କ କାମ କରୁ ନ ଥିବା ଅଭିଯୋଗ କରି ଶହଶହ ମହିଳା ପୁରୁଷମାନେ ରାଷ୍ଟ୍ରୀୟ ମଜଦୁର କଂଗ୍ରସ ସଭାପତି ଭୋକାଲି ସେଠୀଙ୍କ ନେତୃତ୍ୱରେ ବ୍ଲକ୍ ଘେରାଉ କରି ଆନ୍ଦୋଳନ କରିଛନ୍ତି। ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଏବିଡିଓଙ୍କ ବିରୋଧରେ ନାରାଦେଇ ପ୍ରତିବାଦର କରିବା ସହ ଏବିଡିଓ ନିରାକାର ଜେନାଙ୍କ କୁଷପୁତଳିକା ଦାହ କରିଛନ୍ତି। ଆନ୍ଦୋଳନ କାରିମାନେ ଅଭିଯୋଗ କରିଛନ୍ତି ଯେ ସେ ଏବିଡିଓ ଭାବେ କିଛି ବର୍ଷ ହେଲା ଯୋଗଦେବା ପରଠାରୁ ବିବାହ ପଞ୍ଜିକରଣ ସାର୍ଟିଫିକେଟ ଲାଗି ୨ ହଜାରରୁ ୪ ହଜାର ଟଙ୍କା ମାଗୁଛନ୍ତି। ଟଙ୍କା ନ ଦେଲେ ସାର୍ଟିଫିକେଟ ଦେଉ ନାହାନ୍ତି। ଏହାସହ ଲାଞ୍ଚ ଅର୍ଥ ନ ଦେଲେ କୌଣସି କାର୍ଯ୍ୟ କରୁନାହାନ୍ତି। ବିଡିଓ ଅନୁପସ୍ଥିତି ଯୋଗୁ ଦାଇତ୍ୱରେ ଥିବା ନିଜେ ଏବିଡିଓଙ୍କୁ ସ୍ମାରକପତ୍ର ଦେବାଲାଗି ଲୋକେ କାର୍ଯ୍ୟାଳୟ ମଧ୍ୟକୁ ଯାଇଥିବା ବେଳେ ଏବିଡିଓ ଉତ୍କ୍ଷିପ୍ତ ହୋଇ ଆନ୍ଦୋଳନକାରୀଙ୍କୁ ଏଣେତେଣେ କହିଥିଲେ। ଫଳରେ ହିତାଧିକାରୀ, ରାଷ୍ଟୀୟ ମଜଦୁର କଂଗ୍ରେସକର୍ମୀ ଓ ଏବିଡିଓଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଫଟୋ ଭଡିଓ ଉତ୍ତଳ ନ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଏବିଡିଓ କେଶ୍ କରିବା ନେଇ ଧମକ ଦେଇଥିଲେ। ଏବିଡ଼ିଓ ହିତାଧିକାରୀଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ଉପସ୍ଥିତ ମହିଳା ହିତାଧିକାରୀଙ୍କୁ ଠେଲାପେଲା କରି କାର୍ଯ୍ୟଳୟ ଛାଡ଼ି ବାହାରକୁ ଦୌଡ଼ିଚାଲି ଯାଇଥିବା ବେଳେ ମହିଳାମାନେ ତାଙ୍କୁ ଗୋଡ଼ାଇଥିଲେ। ଏହାର ଖବରପାଇ ବିଡ଼ିଓ ଶରତ କୁମାର ପାତ୍ର ଫୋନ୍ ଯୋଗେ ଆନ୍ଦୋଳନକାରିଙ୍କୁ ବୁଝାଶୁଝା କରିବା ସହ ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହାକୁ ନେଇ ଏବିଡିଓ ନିରାକାର ଜେନା କହିଛନ୍ତି ଯେ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା, କୌଣସି ହିତାଧିକାରୀଙ୍କ ଠାରୁ ଟଙ୍କାଟିଏ ମଧ୍ୟ ନେଉନାହିଁ। କିଛି ହିତାଧିକାରୀ ଆବଶ୍ୟକୀୟ କାଗଜପତ୍ର ଦାଖଲ ନ କରିଥିବା ଯୋଗୁ ବିବାହ ପଞ୍ଜିକରଣ ହୋଇପାରି ନ ଥିବା ସହ ଉଦ୍ୟସମୂଳକ ଭାବରେ ତାଙ୍କ ବିରୋଧରେ ଲୋକଙ୍କୁ ଆଣି ଏପରି କରାଯାଇଥିବା ସେ କହିଛନ୍ତି।