ଦିଗପହଣ୍ଡି,୨୨।୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା କୁକୁଡ଼ାଖଣ୍ଡି ବ୍ଲକ ବରପଲ୍ଲୀ ଗ୍ରାମର ଜଣେ ମହିଳାଙ୍କୁ ଘରେ ପଶି ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରତିବାଦ କରିବାରୁ ଗ୍ରାମର ଅଭିଯୁକ୍ତ ସଂଗ୍ରାମ ଭୁଁୟା ଖଣ୍ଡା ଧରି ମହିଳାଙ୍କ ସ୍ବାମୀ ଓ ଦେଢ଼ଶୁରଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ବୁଧବାର ମହିଳାଙ୍କ ସହ ଗ୍ରାମର ବହୁବ୍ୟକ୍ତି ଦିଗପହଣ୍ଡି ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍ପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୪୨୨/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ଶନିବାର ତଦନ୍ତକାରୀ ଅଧିକାରୀ ମନୋଜ ସିଂ ଅଭିଯୁକ୍ତଙ୍କୁ ଗିରଫକରି ବ୍ରହ୍ମପୁର ଏସଡିଜେଏମ କୋର୍ଟକୁ ଚାଲାଣ କରିଛନ୍ତି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।
ଗତ କିଛିଦିନ ହେଲା ସଂଗ୍ରାମ ଗାଁ ରେ ଆତଙ୍କରାଜ ଚଳାଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ମଙ୍ଗଳବାର ମହିଳା ଙ୍କ ଘରେ ପଶି ତାଙ୍କୁ ଅସଦାଚରଣ କରିବାସହ ଆପତ୍ତିଜନକ ଭାଷାରେ ଗାଳି କରିଥିଲେ। ତାଙ୍କ ସ୍ବାମୀ ଓ ଦେଢ଼ଶୁର ପ୍ରତିବାଦ କରିବାରୁ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେବା ସହ ଖଣ୍ଡା ଧରି ଗାଁ ରେ ମାର୍ଚ୍ଚିଂ କରିଥିଲେ। ଏନେଇ ଗ୍ରାମବାସୀ ମେଳି ବାନ୍ଧି ଥାନାରେ ପହଞ୍ଚି ପୋଲିସ ନିକଟରେ ବୟାନ ଦେଇଥିଲେ।
Dharitri – Odisha’s No.1 Odia Daily