ବ୍ରହ୍ମପୁର,୧୨ା୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରାଜଜ୍ ଅଶାନ୍ତ କୁମାର ଦାସ ଏକ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କରାଦଣ୍ଡାଦେଶ ଶୁଣାଇଛନ୍ତି। ସେ ହେଲେ ପାଟପୁର ଥାନା ଅନ୍ତର୍ଗତ ପାଟପୁର ବଳିପେଣ୍ଠ ସାହିର ପ୍ରଶାନ୍ତ କୁମାର ସ୍ବାଇଁ ଓରଫ ଡୁଙ୍ଗେଇ (୨୫)। ଜେଲ ସହିତ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦାୟ ଅଧିକ ୬ ମାସ ସଶ୍ରମ ଜେଲ ଭୋଗିବେ ବୋଲି ରାୟରେ ଉଲ୍ଲେଖ ରହିଛି।
ମାମଲାର ବିବରଣୀରୁ ପ୍ରକାଶ, ୨୦୨୩ ଡିସେମ୍ବର ୨୮ ରାତିରେ ପାଟପୁରର ସୂର୍ଯ୍ୟ କୁମାର ସାହୁ (୩୩)ଙ୍କୁ ହତ୍ୟା କରାଯାଇଥିଲା। ସୂର୍ଯ୍ୟ ଦିଗପହଣ୍ଡିର ଏକ ହୋଟେଲରେ ରୋଷେୟା ଭାବେ କାମ କରୁଥିଲେ। ପ୍ରଶାନ୍ତଙ୍କ ସହ ତାଙ୍କର ବନ୍ଧୁତା ଥିଲା। କୌଣସି କାମ ପାଇଁ ସୂର୍ଯ୍ୟ ତାଙ୍କଠାରୁ ୧୦ ହଜାର ଟଙ୍କା ଧାର ନେଇଥିଲେ। ନିର୍ଦ୍ଧାରିତ ସମୟରେ ଟଙ୍କା ନ ଫେରାଇବାରୁ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ପ୍ରଶାନ୍ତ ପ୍ରତିଶୋଧ ପରାୟଣ ହୋଇ ଘଟଣାଦିନ ରାତିରେ ମଦ ପିଇବା ପାଇଁ ସୂର୍ଯ୍ୟ ଓ ଅନ୍ୟଜଣେ ସାଙ୍ଗ ଶିବ ନାୟକଙ୍କୁ ଡାକିଥିଲେ। ଶିବଙ୍କୁ ସେ ମଦ ଆଣିବାକୁ କହିଥିଲେ। ପରେ ତାଙ୍କୁ ଚାଲିଯିବାକୁ କହିଥିଲେ। ସୂର୍ଯ୍ୟ ଓ ପ୍ରଶାନ୍ତ ସେଠାରେ ମଦ୍ୟପାନ କରିଥିଲେ। ରାତିରେ ସୂର୍ଯ୍ୟ ଘରକୁ ଫେରି ନ ଥିଲେ। ୨୯ ତାରିଖ ସକାଳେ ବସଷ୍ଟାଣ୍ଡ ନିକଟରେ ତାଙ୍କ ମୃତଦେହ ପଡିଥିବା ଦେଖାଯାଇଥିଲା। ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ସୂର୍ଯ୍ୟଙ୍କ ଭାଇ ନିତ୍ୟାନନ୍ଦ ସାହୁଙ୍କ ଅଭିଯୋଗ ପ୍ରକାରେ ନଂ. ୮୩୨/୨୩ ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ଘଟଣାର ତଦନ୍ତ କରି ଅଭିଯୁକ୍ତ ପ୍ରଶାନ୍ତଙ୍କୁ ପୋଲିସ ଗିରଫ କରିଥିଲା। ଜେରା ବେଳେ ପ୍ରଶାନ୍ତ ତାଙ୍କ ସାଙ୍ଗ ସୂର୍ଯ୍ୟଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ହତ୍ୟା ପରେ ସେ ତାଙ୍କ ଘର ପଛପଟେ ଲୁଚାଇ ରଖିଥିବା ରକ୍ତଲଗା ଛଡ଼ ପୋଲିସ ଜବତ କରି ପରୀକ୍ଷା ପାଇଁ ପଠାଇଥିଲା। ମାମଲାର ବିଚାର ବେଳେ ୧୮ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥଲା। ରାୟ ପ୍ରକାଶ ବେଳେ ଗିରଫ ପରଠାରୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବନ୍ଦୀ ଭାବେ ଥିବା ପ୍ରଶାନ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସାକ୍ଷୀମାନଙ୍କ ବୟାନ, ଘଟଣାସ୍ଥଳରୁ ଜବତ ସାମଗ୍ରୀ ଓ ଅନ୍ୟାନ୍ୟ ରିପୋର୍ଟ ଆଧାରରେ ଜଜ୍ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ କ୍ୟାଡର ପିପି ବିଶ୍ୱଜିତ ବରାଳ ମାମଲା ପରିଚାଳନା କରିଥିଲେ।