ବାଲିଗୁଡ଼ା,୨୧।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା କୋର୍ଟ ସମ୍ମୁଖରେ ଏକ ଅଭାବନୀୟ ଘଟଣା ଘଟିଛି। କୋର୍ଟ ହାଜତକୁ ନେବା ବେଳେ ଜଣେ ଅଭିଯୁକ୍ତ ଖସି ପଳାଇଥିଲେ। ହେଲେ ଅବକାରୀ ପୋଲିସ ପରବର୍ତ୍ତୀ ସମୟରେ ଏକ ପରିତ୍ୟକ୍ତି ଘରୁ ଅଭିଯୁକ୍ତଙ୍କୁ କାବୁ କରିଥିଲା।
ମିଳିଥିବା ସୂଚନା ମୁତାବକ, ଶନିବାର ଦାରିଙ୍ଗବାଡ଼ି ଅବକାରୀ ଅଧିକାରୀ ସାଗର ଭୋଇଙ୍କ ସମେତ ଅବକାରୀ ଟିମ୍ ବାଇମାଲା ଚେକଗେଟ୍ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ବାଲିଗୁଡ଼ାରୁ ଏକ ଅଟୋ ଯୋଗେ ୩ଜଣ ବ୍ୟକ୍ତି ୪୪ କେଜି ଗଞ୍ଜେଇ ଧରି ଯାଉଥିଲେ। ସେତିକିବେଳେ ଅବକାରୀ ବିଭାଗ ମାଡ଼ି ବସିଥିଲା।
ସାରେ ୩ଜଣ ଅଭିଯୁକ୍ତ ବାଲିଗୁଡ଼ା କୋର୍ଟ ପରିସରରେ ଗାଡ଼ିରୁ ଓହ୍ଲାଇବା ବେଳେ ପୋଲିସକୁ ଧକ୍କା ମାରି ଜଣେ ଅଭିଯୁକ୍ତ ବାଲିଗୁଡ଼ା ଥାନା ଲାଇନପାଲି ଗ୍ରାମର ଇରା ମଲିକ ସ୍ଥାନୀୟ ଏଲ୍ଆଇସି କଲୋନୀ ରାସ୍ତାରେ ଦୌଡ଼ି ପଳାଇଥିଲେ।
ଅବକାରୀ ପୋଲିସ ପିଛା କରି ଏକ ସରକାରୀ ପରିତ୍ୟକ୍ତ ଘର ଭିତରୁ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା। କୋର୍ଟ ପରିସରରୁ ଅଭିଯୁକ୍ତ ଚମ୍ପଟ ମାରିବା ବାଲିଗୁଡ଼ା ଅଞ୍ଚଳରେ ପ୍ରଥମଥର ହୋଇଥିବା ବେଳେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।