ଘରୁ ବାହରୁ ବାହାରୁ ମାଡିଗଲା ହାଇଓ୍ବା : ନାବାଳକଙ୍କ ଗଲା ଜୀବନ

ଲାଞ୍ଜିଗଡ଼, ୧୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ପତରାପଡା ଛକ ନିକଟରେ ମଙ୍ଗଳବାର ଏକ ହାଇୱା ଧକ୍କାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବୁଟି ମାଝୀ(୧୨)। ରାୟଗଡା ଜିଲାର ବୁଟି ବିଲାଟିପଦର ଗାଁରେ ନିଜର ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିଲେ। ଅପରାହ୍ନରେ ସେ ସାଇକେଲ ଧରି କୌଣସି କାମରେ ବାହାରକୁ ବାହାରିଥିବାବେଳେ ବିଶ୍ୱନାଥପୁରରୁ ଲାଞ୍ଜିଗଡ଼ ଯାଉଥିବା ଏକ ହାଇୱା (ନଂଓଡ଼ି୦୮-ଭି ୫୪୧୮) ତାଙ୍କୁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ବୁଟିଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଲାଞ୍ଜିଗଡ଼ ଥାନାଧିକାରୀ ଯଶୋବନ୍ତ ହିଆଲଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ସହ ଲାଞ୍ଜିଗଡ ତହସିଲଦାର ବନମାଳୀ ମେହେର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟି ନ ଥିବା ଜଣାପଡିଛି I