ଥୁଆମୂଳ ରାମପୁର,୧ା୯ (ଦୁର୍ଗା କୀର୍ତ୍ତି): ସୋମବାର ରାତି ପ୍ରାୟ ସାଢେ ୮ଟାରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବଡ଼ଛତ୍ରଙ୍ଗ ଗ୍ରାମ ନିକଟ କାନ୍ଦୁଲଭଜା ଡଙ୍ଗର ପାଖ ବ୍ରିଜ ତଳକୁ ଖସି ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଓଡ୍ରି ପେର୍ଗୁନିପଡ଼ାର ବଳାରାମ ଘୋଡିଆ (୨୫)। ସୂଚନା ଅନୁସାରେ ବଳରାମ ଓ ତାଙ୍କ ପରିବାର ଲୋକେ ଜୟପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ପାଖ ଛତାବନ୍ଧଗୁଡା ସମ୍ପର୍କୀୟଙ୍କ ଏକ ଦଶାହ କାର୍ଯ୍ୟକୁ ଯାଇ ଫେରୁଥିଲେ। ବଳାରାମ ଓଡି ୧୮-୬୫୫୬ ନମ୍ବରବିଶିଷ୍ଟ ବାଇକ୍ରେ ଫେରୁଥିବାବେଳେ ଭାରସାମ୍ୟ ହରାଇ କାନ୍ଦୁଲଭଜା ବ୍ରିଜ ତଳକୁ ଖସି ପଡ଼ିଥିଲେ। ଏଥିରେ ତାଙ୍କ ମୁହଁ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।