ଭବାନୀପାଟଣା, ୧୨ା୧୨ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ବାଦିଲି ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିଜ ପଡ଼ାର ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଜଣେ ବୃଦ୍ଧଙ୍କୁ ମହଙ୍ଗା ପଡିଛି। ମହିଳାଙ୍କ ସମର୍କୀୟ ବୃଦ୍ଧଙ୍କୁ ଅଧାଲଣ୍ଡା କରି ଚପଲ ମାଳା ପିନ୍ଧାଇ ଗାଁରେ ବୁଲାଇବା ଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ବାଦଲି ଗାଁର ୱାର୍ଡ ନଂ-୧୩ ଚଞ୍ଚରାପଡାରେ ଗତ ୭ ତାରିଖ ସକାଳେ ପ୍ରାୟ ୮ଟାରେ ଜଣେ ମହିଳା ନଳକୂଅକୁ ପାଣି ଆଣିବାକୁ ଆସିଥିଲେ। ସେତେବେଳେ ଜଣେ ବୟସ୍କ ବ୍ୟକ୍ତି ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ସମ୍ପୃକ୍ତ ମହିଳା ପରିବାର ଲୋକଙ୍କୁ ଜଣାଇବା ପରେ ଏହାକୁ ନେଇ ଗାଁ ଲକ୍ଷ୍ମୀପୂଜା ମଣ୍ଡପଠାରେ ଏକ ବୈଠକ ବସିଥିଲା। ଏଥିରେ ୨ ଜଣ ଲୋକ ପ୍ରତିନିଧି ମଧ୍ୟ ସାମିଲ ହୋଇଥିବା ଜଣାପଡିଛି। ବୈଠକର ନିଷ୍ପତ୍ତି ଅନୁଯାୟୀ ବୟସ୍କ ବ୍ୟକ୍ତିଙ୍କୁ ଅଧାଲଣ୍ଡା କରିବା ସହ ବେକରେ ଚପଲ ମାଳା ଝୁଲାଇ ଲକ୍ଷ୍ମୀପୂଜା ମଣ୍ଡପରୁ ଚଞ୍ଚରାପଡା ଘରକୁ ଚଲାଇ ଅଣାଯାଇଥିଲା। ଏହି ଘଟଣାରେ ଗାଁର ଲୋକ ପ୍ରତିନିଧି ଓ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ହୋଇଥିବାରୁ ଚପାଇ ଦେବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ହୋଇଥିଲା। ଅନ୍ୟପକ୍ଷରେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକଲୋଚନକୁ ଆସିଥିଲା। ମହିଳା ଓ ବୃଦ୍ଧ ଜଣକ ସମର୍କୀୟ ପୁତୁରା ବୋହୂ ଓ ଶ୍ୱଶୁର ହୋଇଥିବା ଜଣାପଡିଛି। ଭବାନୀପାଟଣା ସଦର ଥାନା ଓ ଜିଲା ମହକୁମାରୁ ମାତ୍ର ୮ କି.ମି. ଦୂରରେ ଏଭଳି ଅଭାବନୀୟ ଘଟଣା ଘଟିଥିଲେ ମଧ୍ୟ କେହି ସୁରାକ ନ ପାଇବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ଉଭୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପୃଥକ୍ ମାମଲା (ନଂ. ୫୭୧,୫୭୨/୨୫) ରୁଜୁ କରି ଉଭୟ ପକ୍ଷଙ୍କୁ ନୋଟିସ ଜାରି କରିଥିବା ଭବାନୀପାଟଣା ସଦର ଏସ୍ଡିପିଓ ନରେଶ ପ୍ରଧାନ ସୂଚନା ଦେଇଛନ୍ତି।