ଟିମ୍‌ ଇଣ୍ଡିଆରୁ ବହିଷ୍କୃତ ହେବା ପରେ ନାୟରଙ୍କୁ ମିଳିଲା ଆଉ ଏକ ଚାକିରି, ହେଲେ ଏହି ଟିମ୍‌ର ମେଣ୍ଟର

ନୂଆଦିଲ୍ଲୀ,୨୭।୪: ଟିମ୍‌ ଇଣ୍ଡିଆର ପୂର୍ବତନ ସହାୟକ ପ୍ରଶିକ୍ଷକ ଅଭିଷେକ ନାୟାର ଏବେ ପ୍ରଶିକ୍ଷକ ଦଳର ଅଂଶ ନୁହଁନ୍ତି। ନିକଟରେ ବିସିସିଆଇ ତାଙ୍କୁ ଚାକିରିରୁ ବହିଷ୍କାର କରିଥିଲା। ହେଲେ ଦଳରୁ ବାଦ ପଡ଼ିବା ପରେ ଟି-୨୦ ଲିଗରେ ତାଙ୍କର ଚାହିଦା ବଢ଼ିଯାଇଛି। କିଛିଦିନ ପୂର୍ବେ ନାୟାର ଆଇପିଏଲ୍‌କୁ ଫେରି ପୂର୍ବତନ ଫ୍ରାଞ୍ଚାଇଜ କୋଲକାତା ନାଇଟ ରାଇଡର୍ସରେ ଯୋଗ ଦେଇଥିଲେ। ଏସବୁ ମଧ୍ୟରେ ଏବେ ତାଙ୍କୁ ଆଉ ଏକ ଚାକିରି ମିଳିଛି। ମୁମ୍ବାଇ ଦକ୍ଷିଣ କେନ୍ଦ୍ରୀୟ ମରାଠା ରୟାଲ୍ସ ତାଙ୍କୁ ଟି-୨୦ ମୁମ୍ବାଇ ଲିଗର ତୃତୀୟ ସଂସ୍କରଣ ପାଇଁ ନିଜର ମେଣ୍ଟର(ମାର୍ଗଦର୍ଶକ) କରିଛି। ଏହାର ଅର୍ଥ ହେଉଛି IPL ସରିବା ପରେ ସେ ଏହି ଲିଗ୍‌ରେ ପ୍ରମୁଖ ଦାୟିତ୍ୱ ତୁଲାଇବେ।

ଟି-୨୦ ମୁମ୍ବାଇ ଲିଗରେ ଦୁଇଟି ନୂତନ ଦଳକୁ ସାମିଲ କରାଯାଇଛି। ମୁମ୍ବାଇ ଦକ୍ଷିଣ କେନ୍ଦ୍ରୀୟ ମରାଠା ରୟାଲ୍ସ ମଧ୍ୟ ସେମାନଙ୍କ ମଧ୍ୟରୁ ଗୋଟିଏ। ୨୦୨୫ ଆଇପିଏଲ୍‌ ଶେଷ ହେବା ପରେ, ୨୬ ମଇରେ ଆରମ୍ଭ ହେବାକୁ ଥିବା ଏହି ଲିଗ୍‌ରେ ନାୟାରଙ୍କୁ ମେଣ୍ଟର ଭୂମିକାରେ ଦେଖିବାକୁ ମିଳିବ। ସେ ପୂର୍ବତନ ମୁମ୍ବାଇ ଦ୍ରୁତ ବୋଲର ଏବଂ ଦଳର ମୁଖ୍ୟ ପ୍ରଶିକ୍ଷକ ଅମିତ ଦାନିଙ୍କ ସହ କାମ କରିବେ। ନାୟାର ୭ ମଇରେ ହେବାକୁ ଥିବା ନିଲାମ ସମୟରେ ଦଳକୁ ସାହାଯ୍ୟ କରିବେ। ଅନ୍ୟପକ୍ଷରେ ପୂର୍ବତନ ଟିମ ଇଣ୍ଡିଆ ବୋଲିଂ ପ୍ରଶିକ୍ଷକ ପାରସ ମାହାମ୍ବରେ ଏଆର୍‌ସିଏସ୍‌ ଅନ୍ଧେରୀ ଦଳରେ ମେଣ୍ଟର ଭାବରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ସେ IPLରେ ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ପ୍ରଶିକ୍ଷକ ଅଛନ୍ତି।

ନାୟାର ୨୦୨୪ ମସିହାରେ କୋଲକାତାର ଟାଇଟଲ ଜିତିଥିବା କୋଚିଂ ଷ୍ଟାଫ୍ର ଅଂଶ ଥିଲେ। ତା’ପରେ ଦଳ ଆଇପିଏଲ ଚାମ୍ପିଅନ ହେବା ପରେ, ମେଣ୍ଟର ଗୌତମ ଗମ୍ଭୀରଙ୍କୁ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ କରାଯାଇଥିଲା। ତାଙ୍କ ସହିତ ନାୟରଙ୍କୁ ମଧ୍ୟ ସହାୟକ ପ୍ରଶିକ୍ଷକ ଭାବରେ ଟିମ ଇଣ୍ଡିଆରେ ସାମିଲ କରାଯାଇଥିଲା। କିନ୍ତୁ ୧୦ ମାସରୁ କମ ସମୟ ମଧ୍ୟରେ ତାଙ୍କୁ ଦଳରୁ ବାହାର କରିଦିଆଯାଇଥିଲା। ଜାନୁଆରୀରେ ବିସିସିଆଇ ସମୀକ୍ଷା ବୈଠକ ପରେ ନାୟାରଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।