Categories: Home Leftଖେଳ

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ ମାଲେସିଆ ବିପକ୍ଷ ମ୍ୟାଚରେ ଏକ ଦମଦାର୍ ଦ୍ୱିଶତକ (୨୦୯ ରନ୍, ଅପରାଜିତ) ହାସଲ କରି ଯୁବ ଦିନିକିଆ ରେ ଏହି କୀର୍ତ୍ତିମାନ ସ୍ଥାପନ କରିବାରେ ପ୍ରଥମ ଭାରତୀୟ ଖେଳାଳି ପାଲଟିଛନ୍ତି।

ଅଭିଜ୍ଞାନ କୁଣ୍ଡୁ ତାଙ୍କରି ସାଥୀ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କ ୧୭୧ ରନର ରେକର୍ଡକୁ ଅତିକ୍ରମ କରି ଭାରତ ପାଇଁ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର କରିଛନ୍ତି। ବୈଭବ ସୂର୍ଯ୍ୟବଂଶୀ ଆଉଟ୍ ହେବା ପରେ କ୍ରିଜକୁ ଆସିଥିବା କୁଣ୍ଡୁ ମାତ୍ର ୪୪ ବଲରେ ଅର୍ଦ୍ଧଶତକ ଏବଂ କେବଳ ୮୦ ବଲରେ ଶତକ ପୂରଣ କରିଥିଲେ। ସେ ୧୨୧ ବଲ୍‌ରେ ଦ୍ୱିଶତକ ହାସଲ କରିଥିଲେ।

କୁଣ୍ଡୁ ପ୍ରଥମେ ବେଦାନ୍ତ ତ୍ରିବେଦୀ (୯୦ ରନ୍) ଙ୍କ ସହ ମିଶି ୨୦୯ ରନ୍‌ର ପାର୍ଟନରସିପ୍ କରିଥିଲେ ଏବଂ ପରେ କନିଷ୍କ ଚୌହାନଙ୍କ ସହ ୩୬ ବଲ୍‌ରୁ ୮୭ ରନ୍‌ର ବିସ୍ଫୋରକ ଯୋଡ଼ି ଗଢ଼ି ଭାରତର ସ୍କୋରକୁ ୫୦ ଓଭରରେ ୭ ୱିକେଟ୍ ବିନିମୟରେ ୪୦୮ ରନ୍ ରେ ପହଞ୍ଚାଇଥିଲେ। ବୈଭବ ସୂର୍ଯ୍ୟବଂଶୀ ୫୦ ରନ୍ କରିଥିଲେ।

ଯୁବ ଦିନିକିଆ କ୍ରିକେଟ୍‌ରେ ଏହା ହେଉଛି ଦକ୍ଷିଣ ଆଫ୍ରିକାର ଜୋରିଚ୍ ଭାନ୍ ଶାଲ୍କୱାଇକ୍‌ଙ୍କ ୨୧୫ ରନ୍ ପରେ ଦ୍ୱିତୀୟ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର। ଏହା ସହିତ, ଏହା U-19 ଏସିଆ କପ୍‌ରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ଅଟେ।

୪୦୯ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରି ମାଲେସିଆ ଦଳ ମାତ୍ର ୯୩ ରନ୍‌ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଭାରତୀୟ ବୋଲର ଦୀପେଶ ଦେବେନ୍ଦ୍ରନ୍ ୫ଟି ୱିକେଟ୍ ନେଇଥିବା ବେଳେ ମାଲେସିଆକୁ ୩୧୫ ରନ୍‌ର ବଡ଼ ବ୍ୟବଧାନରେ ପରାସ୍ତ କରିଛି ଭାରତୀୟ ଦଳ। ତେବେ ମାଲେସିଆ ପକ୍ଷରୁ ମହମ୍ମଦ ଆକ୍ରମ ୫ଟି ୱିକେଟ୍ ନେବାରେ ସଫଳ ହୋଇଥିଲେ।

Share