ବିଗ୍‌ବସ୍‌ରେ ଏଣ୍ଟ୍ରି କରିବେ ଅବ୍ଦୁଙ୍କ ଶତ୍ରୁ ହସବୁଲ୍ଲା

ବମ୍ବେ: ବିଗ୍‌ବସ୍‌ ୧୬ରେ ଲୋକପ୍ରିୟ ପ୍ରତିଯୋଗୀ ଭାବେ ଅବ୍ଦୂ ରୋଜିକ୍‌ଙ୍କୁ ନେଇ ଚାରିଆଡେ ଚର୍ଚ୍ଚା। ଉଚ୍ଚତାରେ ଛୋଟ ହେଲେ ହେଁ ସେ ବଡ଼ ବଡ଼ ସେଲିବ୍ରିଟିଙ୍କୁ କଡ଼ା ଟକ୍କର ଦେଉଛନ୍ତି। ପରିଣାମସ୍ବରୂପ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପେସାରେ ଜଣେ ରାପର ଏବଂ ବକ୍ସର ଥିବା ଅବ୍ଦୁଙ୍କ ପ୍ରଶଂସା ହୋଷ୍ଟ ସଲମାନ ମଧ୍ୟ କରି ସାରିଛନ୍ତି। କ୍ୟୁଟ୍‌ନେସକୁ ନେଇ ସମସ୍ତଙ୍କୁ ପସନ୍ଦ ଆସୁଥିବା ଅବ୍ଦୁଙ୍କ ଶତ୍ରୁ କେହି ଥିବେ ତାହା ଉପରେ ବିଶ୍ୱାସ କରିବା କଷ୍ଟକର। ହେଲେ ବିଗ୍‌ବସ୍‌ରେ ଆଗାମୀ ଦିନରେ ସେଭଳି ଜଣେ ଯୁବକ ଏଣ୍ଟ୍ରି କରିବାକୁ ଯାଉଛନ୍ତି।

ଅବ୍ଦୁଙ୍କ ଶତ୍ରୁ ହସବୁଲ୍ଲା ମାଗୋମେଡୋଭ୍‌ ବିଗ୍‌ବସ୍‌ରେ ଓ୍ବାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବେ ଯୋଗ ଦେଇ ପାରନ୍ତି। ହସବୁଲ୍ଲା ଜଣେ ଟିକ୍‌ଟକ୍‌ ଷ୍ଟାର ହୋଇଥିବା ବେଳେ ଅବ୍ଦୁଙ୍କ ଭଳି ବାମନ। ଉଭୟଙ୍କ ଶତ୍ରୁତା ବେଶ ପୁରୁଣା ହୋଇଥିବାରୁ ଶୋ’ରେ ମନୋରଞ୍ଜନକୁ ଦ୍ୱିଗୁଣା କରିବା ଲାଗି ତାଙ୍କୁ ଆପ୍ରୋଚ୍‌ କରାଯାଇଛି। ସେ ରାଜି ହୋଇଥିବା ନେଇ ମଧ୍ୟ କୁହାଯାଉଛି। ଯଦି ଏପରି ହୁଏ ତେବେ ଆଗାମୀ ଦିନରେ ବିଗ୍‌ବସ୍‌ ପ୍ରଶଂସକ ଶୋ’ରେ ଅବ୍ଦୁ ଏବଂ ତାଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳିପାରେ।