ପରିତ୍ୟକ୍ତ ଘରେ ଚାଲିଛି ଡଲାବାଡ଼ି ଅଙ୍ଗନୱାଡି କେନ୍ଦ୍ର: କେଉଁଆଡେ ଚାଲିଯାଇଛନ୍ତି ସହାୟିକା, ଏବେ ଦିଦିଙ୍କ ମୁଣ୍ଡରେ…

ଦାରିଙ୍ଗବାଡି, ୧୩।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡଲାବାଡି ୧୪ ନଂ ୱାର୍ଡରେ ରହିଥିବା ଅଙ୍ଗନାୱାଡି କେନ୍ଦ୍ର ପରିତ୍ୟକ୍ତ ଗୃହରେ ଚାଲିଛି। ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଆଜବେଷ୍ଟ କୋଠରୀ ମଧ୍ୟରେ ଶିଶୁଙ୍କୁ ଶିକ୍ଷାପ୍ରଦାନ କରାଯିବା ସହ ଛତୁଆ, ଅଣ୍ଡା ଆଦି ପୁଷ୍ଟିକର ଖାଦ୍ୟ ଦିଆଯାଉଛି। ଯେଉଁଠି ଶିଶୁଙ୍କ ସ୍ବାସ୍ଥ୍ୟର ଉର୍ନ୍ନତ୍ତି ପାଇଁ ସରକାର ପୁଷ୍ଟିକର ଖାଦ୍ୟ ଯୋଗାଉଛନ୍ତି ସେଠାରେ କୋଠା ନ ଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଶିଶୁମାନେ ଖାଦ୍ୟ ଖାଇ, ପାଠପଢ଼ୁଥିବା  ଦେଖିବାକୁ ମିଳିଛି।
ସେହିପରି କିଶୋରୀଙ୍କ ସମେତ ଗର୍ଭବତୀ, ପ୍ରସୁତି ମହିଳାଙ୍କୁ ମଧ୍ୟ ଏହି ବିପଦ ସଙ୍କୁଳ ପରିତ୍ୟକ୍ତ ଗୃହକୁ ଆସୁଛନ୍ତି।  ବ୍ଲକ ହେଡକ୍ୱାଟର ଠାରୁ ମାତ୍ର ୩ କିମି ଦୂରତାରେ ରହିଥିବା ଏହି ଅଙ୍ଗନାୱାଡି କେନ୍ଦ୍ର ସମସ୍ତ ଅଧିକାରୀ ଜାଣିଥିଲେ ମଧ୍ୟ ନୂତନ କୋଠା ନିର୍ମାଣରେ ଅହେତୁକ ବିଳମ୍ବ ଘଟିଥିବା ଉକ୍ତ ଗ୍ରାମର କିଶୋରୀ ସ୍ବର୍ଣ୍ଣଲତା ପଟ୍ଟନାୟକ, ଅଗ୍ନିଶିଖା ପ୍ରଧାନ ପ୍ରମୁଖ କହିଛନ୍ତି।
ଅଙ୍ଗନାଓ୍ବାଡିରେ ସହାୟିକା ଗତ କିଛି ମାସ ହେଲା କେଉଁଆଡେ ପଳାଇଯାଇଥିବାରୁ ଅଙ୍ଗନାୱାଡି କର୍ମୀ ନିଜେ ହିଁ ଶିଶୁଙ୍କୁ ରନ୍ଧାଖାଦ୍ୟ ପ୍ରସ୍ତୁତ କରି ଦେବା ସହ ସେମାନଙ୍କୁ ଶିକ୍ଷାଦାନ ସହ ଯତ୍ନ ନେଉଥିବା କର୍ମୀ ନିରଳା ପ୍ରଧାନ କହିଛନ୍ତି। ଶୀଘ୍ର କୋଠା ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ସେପଟେ ସମସ୍ତ ଅଙ୍ଗନାୱାଡି କେ କୁ ସକ୍ଷମ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ବେଳେ ଏହି ଅଙ୍ଗନବାଡି କେନ୍ଦ୍ର କେବେ ସକ୍ଷମ ହେବ ତାହା ସନ୍ଦେହ ସୃଷ୍ଟି କରିଛି।
ସେହିପରି ଶ୍ରାନିକେତା ପଞ୍ଚାୟତର ଡଲାବାଡି କେନ୍ଦ୍ର ସ୍ଥାପନ ହେବାର ୪ ବର୍ଷ ବିତିଯାଇଥିବା ବେଳେ ଉକ୍ତ ପଞ୍ଚାୟତ ଦଣ୍ଡିମା ଗ୍ରାମ ସୀମା ମାହା ଅଙ୍ଗନଓ୍ବାଡି ସ୍ଥାପନ ହେବାର ୧୪ ବର୍ଷ ବିତିଯାଇଥିଲେ ମଧ୍ୟ ନିଜସ୍ବ କୋଠା ନ ଥିବାରୁ ଶିଶୁ ମାନଙ୍କ ଭବିଷ୍ୟତ ଚିନ୍ତାଜନକ ଦେଖାଯାଇଛ। ଏନେଇ ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି କୋଠା ନିର୍ମାଣ ପାଇଁ ଅନୁଦାନ ପହଞ୍ଚିଲା ଏମଜିଏନଆରଇଜିଏସ ରେ ୮ ଲକ୍ଷ ସମେତ ମୋଟ ୧୨ଲକ୍ଷ ରହିଛି। ଶୌଚାଳୟ ସମେତ କୋଠା ନିର୍ମାଣ କରାଯିବ ବୋଲି ସେ କହିଛନ୍ତ। ଯେଉଁ ସବୁ କେନ୍ଦ୍ର ଗୁଡିକର କୋଠା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯାଇଛି ସେଗୁଡିକୁ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବିଡିଓ କହିଛନ୍ତି।

Share