ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କଲେ ଏହି ଷ୍ଟାର କ୍ରିକେଟର; ଆର୍‌ସିବି ସହ ବି ଯାତ୍ରା ସମାପ୍ତ

ନୂଆଦିଲ୍ଲୀ,୧୯।୧୧: ଦକ୍ଷିଣ ଆଫ୍ରିକା ଷ୍ଟାର୍‌ କ୍ରିକେଟର ଏ ବି ଡିଭିଲିୟର୍ସ ଖେଳର ସବୁ ଫର୍ମାଟକୁ କହିଛନ୍ତି ଅଲ୍‌ବିଦା। ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ହେଲେ ସେ ଆଇପିଏଲ୍‌ ସହ ଅନ୍ୟ ସମସ୍ତ ଘରୋଇ ଟୁର୍ନାମେଣ୍ଟ ଖେଳୁଥିଲେ। ଶୁକ୍ରବାର ସେ ଟୁଇଟ୍‌ କରି ଏହା ସମସ୍ତଙ୍କୁ ଜଣାଇଛନ୍ତି।

ସନ୍ୟାସକୁ ନେଇ ଡିଭିଲିୟର୍ସ କହିଛନ୍ତି, ଏହା ଏକ ଅଦ୍ଭୁତପୂର୍ବ ଯାତ୍ରା। କିନ୍ତୁ ମୁଁ ସବୁ ପ୍ରକାରର କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ଏହି ଯାତ୍ରା ମଧ୍ୟରେ ମୋ ସହ ରହିଥିବା ସମସ୍ତ ଖେଳାଳି, ସଦସ୍ୟ ଏବଂ କୋଚ୍‌ମାନଙ୍କୁ ଧନ୍ୟବାଦ। ମୁଁ କ୍ରିକେଟକୁ ଉପଭୋଗ କରିଥିଲି। ହେଲେ ବୟସ ବଢ଼ୁଥିବାରୁ ଏବେ ଶରୀର ସେତେଟା ଭଲ କରିବାକୁ ଅନୁମତି ଦେଉନାହିଁ। ମୋ ପରିବାର, ଭାଇ, ସ୍ତ୍ରୀ ଏବଂ ପିଲାମାନଙ୍କ ତ୍ୟାଗ ବିନା ଏହା କେବେ ହେଲେ ସଫଳ ହୋଇପାରି ନ ଥାନ୍ତା। ଏବେ ଜୀବନର ନୂଆ ଅଧ୍ୟାୟରେ ମୁଁ ସେମାନଙ୍କୁ ସବୁଠାରୁ ଅଧିକ ଗୁରୁତ୍ୱ ଦେବି। କ୍ରିକେଟ ସବୁବେଳେ ମୋ ସହ ରହିଛି। ଖେଳିବା ବେଳେ ଅନେକ ଅଭିଜ୍ଞତା ପାଇଛି। ଏଥିପାଇଁ କୃତଜ୍ଞ ରହିବି। ଆର୍‌ସିବି ସହ ଅନେକ ସ୍ମରଣୀୟ ମୂହୁର୍ତ୍ତ ରହିଛି। ମୁଁ ସବୁବେଳେ ଆର୍‌ସିବିଆନ୍‌ ହୋଇ ରହିବି ବୋଲି ସେ କହିଛନ୍ତି। ତେବେ ଏଥିରୁ ୨୦୨୨ରେ ଡିଭିଲିୟର୍ସଙ୍କୁ ଆଉ ଆଇପିଏଲ୍‌ରେ ବି ଦେଖିବାକୁ ମିଳିବ ନାହିଁ ବୋଲି ସ୍ପଷ୍ଟ ହୋଇଛି।

୩୭ ବର୍ଷୀୟ ଡିଭିଲିୟର୍ସ ‘ମିଷ୍ଟର ୩୬୦’ ଭାବେ ଖ୍ୟାତ। ସେ ଦୀର୍ଘ ୧୭ ବର୍ଷ ଧରି କ୍ରିକେଟ ଖେଳି ଆସୁଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ସେ ୧୧୪ ଟେଷ୍ଟ, ୨୨୮ ଦିନିକିଆ ଏବଂ ୭୮ ଟି-୨୦ ଖେଳିଛନ୍ତି।