ଏଏପି ଏମପି ସଞ୍ଜୟ ସିଂଙ୍କୁ ମିଳିଲା ନାହିଁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୪।୧୧: ଦିଲ୍ଲୀ ମଦ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟସଭା ଏମପି ସଞ୍ଜୟ ସିଂ ଶୁକ୍ରବାର ରାଉଜ ଆଭେନ୍ୟୁ କୋର୍ଟରୁ କୌଣସି ସୁଫଳ ପାଇନାହାଁନ୍ତି। କୋର୍ଟ ତାଙ୍କର ନ୍ୟାୟିକ ହେପାଜତକୁ ଡିସେମ୍ବର ୪ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ତାଙ୍କର ନିୟମିତ ଜାମିନ ଆବେଦନ ଉପରେ ଶୁଣାଣି ସମୟରେ ଏଏପି ନେତା ସଞ୍ଜୟ ସିଂଙ୍କୁ ଜେଲରେ ଏକ ଇଲେକ୍ଟ୍ରିକ କେଟଲ ରଖିବାକୁ କୋର୍ଟ ଅନୁମତି ଦେଇଛନ୍ତି। ଖୁବ ଶୀଘ୍ର ଏହି ମାମଲାରେ ଏକ ସପ୍ଲିମେଣ୍ଟାରୀ ଚାର୍ଜ ସିଟ ଦାଖଲ କରାଯିବ ବୋଲି ଇଡି କହିଛି।
ସୂଚନାଯୋଗ୍ୟ, ଅକ୍ଟୋବର ୪ରେ, ଇଡି ସଞ୍ଜୟ ସିଂଙ୍କୁ ତାଙ୍କ ସରକାରୀ ବାସଭବନ ଉପରେ ଚଢାଉ କରିବା ସହ ଅନେକ ଘଣ୍ଟା ପଚରାଉଚରା କରିବା ପରେ ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ କରିଥିଲା। ଏହା ପରେ କୋର୍ଟ ତାଙ୍କୁ ଅକ୍ଟୋବରରେ ନ୍ୟାୟିକ ହେପାଜତକୁ ପଠାଇଥିଲେ। ତା’ପରେ ହେପାଜତ ଶେଷ ହେବା ପରେ ସିଂ ଅନେକ ଥର କୋର୍ଟରେ ପହଞ୍ଚିଥିଲେ। କିନ୍ତୁ ସେ ଆଶ୍ୱସ୍ତି ପାଇଲେ ନାହିଁ।