‘ଆସ ସ୍କୁଲ ଯିବା’: ଅଧାରୁ ପାଠ ଛାଡିଥିବା ୨୬ ଛାତ୍ରୀଛାତ୍ର ପୁଣି ପଢିବେ ପାଠ

ବରଗଡ,୧୮।୯(ପ୍ରେମାନନ୍ଦ ଖମାରୀ): ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ‘ଆସ ସ୍କୁଲ ଯିବା’ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଡ. ସୁରେନ୍ଦ୍ର କୁମାର ସାହୁଙ୍କ ତତ୍ତ୍ୱାବଧାନରେ ବରଗଡ ବ୍ଲକରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି।

ଓଡ଼ିଆ ବାଳକ ବିଦ୍ୟାଳୟ କ୍ଲଷ୍ଟରର ସିଆରସିସି ଅର୍ଚ୍ଚିତା ପାଣିଗ୍ରାହୀଙ୍କ ପ୍ରଚେଷ୍ଟାରେ ବର୍ତ୍ତମାନ ସୁଦ୍ଧା କ୍ଲଷ୍ଟରର ଅଧାରୁ ପାଠପଢ଼ା ଛାଡିଥିବା ୨୬ ଛାତ୍ରୀଛାତ୍ର ‘ଆସ ସ୍କୁଲ ଯିବା ଅଭିଯାନ’ରେ ସାମିଲ ହୋଇଛନ୍ତି । ଏହି ୨୬ଜଣଙ୍କ ମଧ୍ୟରେ ୩ଜଣ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ଅଟନ୍ତି ।

ଶ୍ରିୟା ସିଂହଙ୍କୁ ତାଙ୍କ ଅଭିଭାବକ ବିଦ୍ୟାଳୟରେ ନାମ ଲେଖାଇବାକୁ ମନା କରୁଥିବା ସତ୍ତ୍ୱେ ସିଆରସିସି ଅର୍ଚ୍ଚିତା ପାଣିଗ୍ରାହୀ ବାରମ୍ବାର ତାଙ୍କ ଘରକୁ ଯାଇ ସୈରେନ୍ଦ୍ରୀ ଆଚାର୍ଯ୍ୟଙ୍କ(ଓଡ଼ିଆ ବାଳକ ଉଚ୍ଚ ବିଦ୍ୟାଳୟ) ସହିତ ଅଭିଭାବକଙ୍କୁ ବୁଝାଇ ପିଏମ୍‌ଶ୍ରୀ ସରକାରୀ ବାଳିକା ହାଇସ୍କୁଲରେ ଆଡମିଶନ କରାଇଥିଲେ।

ଅମ୍ବାପାଲି ଅଞ୍ଚଳର ଡ୍ରପ ଆଉଟ ଛାତ୍ରୀଛାତ୍ରମାନଙ୍କୁ ସମଲେଶ୍ୱରୀ ଉଚ୍ଚ ବିଦ୍ୟାଳୟରେ ନାମ ଲେଖା ଯାଇଥିଲା । ଏଥିସହିତ ଭୁରସୁଂଘ ବନ୍ଧ, ବଳିଟିକରା ଇତ୍ୟାଦି ଅଞ୍ଚଳରୁ ମଧ୍ୟ ପାଠଛଡ଼ା ଛାତ୍ରୀଛାତ୍ରଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯାଇଛି।

ସେମାନଙ୍କ ମଧ୍ୟରେ ଟୁନା ରଣା, ବିକାଶ ବେହେରା, ଅରବାଜ ଖାନ, ରାଜତ ବେହେରା, ରୁକ୍ମିଣୀ ନାୟକ, ଗୁଣମଣି ଆଣ୍ଡିଲ, ଅମନ ସନ୍ଧା, ନିରନ ପତ୍ର, ଅନିତା ଆଣ୍ଡିଲ, ଲଳିତା ରାୟନ୍ତିଆ ପ୍ରମୁଖ ଅଛନ୍ତି।

ଏହି ସଫଳତାର ପଛରେ ଶିକ୍ଷକଙ୍କ ସହଯୋଗ ରହିଛି। ସୁଦୀପ୍ତ ପାଣିଗ୍ରାହୀ, ଆମ୍ବେଦକର ନଗର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସୁଦୀପ୍ତ ପାଣିଗ୍ରାହୀ, ସମଲେଶରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମନୋଜ ଦାଶ, ସମଲେଶ୍ୱରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପ୍ରଦୀପ ସତପଥୀଶ୍‌, ତେଜରାଜ ହୋତା, ରଜନୀ ପାତ୍ର, ରାଣା ପ୍ରତାପ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଦୀପ ରଥ, ଶିକ୍ଷୟିତ୍ରୀ ସୁନିତା ମିଶ୍ରଙ୍କ ସହିତ ଅନ୍ୟାନ୍ୟ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷୟିତ୍ରୀ, ଶିକ୍ଷକମାନେ ସକ୍ରିୟ ସହଯୋଗ କରିଛନ୍ତି। ୨୬ଜଣ ପିଲା ପୁଣିଥରେ ଶିକ୍ଷାରେ ଯୋଗ ଦେବାରୁ ଅଭିଭାବକମାନେ ଖୁସି ପ୍ରକାଶ କରିଛନ୍ତି। ଏପରିକି ସରକାରଙ୍କ ‘ଆସ ସ୍କୁଲ ଯିବା’ ଯୋଜନାକୁ ସ୍ବାଗତ କରିଛନ୍ତି।