ସାର ପାଇଁ ‘ଆଧାର’ ଧାଡ଼ି

ଦେଓଗାଁ,୧୧ା୯ (କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ଏବେ ଧାନ ଚାଷ ପାଇଁ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି। ଚଳିତ ବର୍ଷ ଠିକ୍‌ ସମୟରେ ଚାଷୀଙ୍କୁ ୟୁରିଆ ସାର ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଦେଓଗଁା ବ୍ଲକର ଗୌରଗୋଠ ବ୍ଲକରେ ବୁଧବାର ସାର ନେବା ପାଇଁ ଆଧାର କାର୍ଡ ରଖି ଚାଷୀଙ୍କ ଲମ୍ବା ଲାଇନ ଏହାର ଏକ ଉଦାହରଣ ହୋଇଛି। ବ୍ଲକରେ ୧୨ଟି କୃଷି ସେବା ସମବାୟ ସମିତି ରହିଛି। ଏହି ସେବା ସମବାୟ ସମିତିଗୁଡିକୁ ୟୁରିଆ ସାର ଆସିବା ଜଣା ପଡିବା କ୍ଷଣି ଚାଷୀମାନଙ୍କ ଅସମ୍ଭାଳ ଭିଡ ପରିଲକ୍ଷିତ ହେଉଛି। ବ୍ଲକର ଗୌରଗୋଠ ପାକ୍ସରେ ୭୬୦ ଜଣ ଚାଷୀ ଧାନ ବିକ୍ରୟ କରିବା ପାଇଁ ପଞ୍ଜୀକୃତ ହୋଇଥିବା ବେଳେ ୩୧୫ ବସ୍ତା ୟୁରିଆ ସାର ବଣ୍ଟନ ପାଇଁ ଆସିଛି। ସାର ଆସିବା ଖବର ପ୍ରଚାରିତ ହେବା ପରେ ବୁଧବାର ଭୋର ସମୟରୁ ଉକ୍ତ ପାକ୍ସ ସମ୍ମୁଖରେ ପ୍ରାୟ ୭ ଶହରୁ ଊର୍ଦ୍ଧ୍ୱ ଚାଷୀ ଆଧାର କାର୍ଡଗୁଡିକୁ ଧାଡିରେ ରଖି ଲମ୍ବା ଲାଇନରେ ସାର ପାଇବା ଆଶାରେ ଅପେକ୍ଷାରେ ଥିବା ଦେଖିବାକୁ ମିଳିଥିଲା। ତେବେ ମାତ୍ର ୩୧୫ ପ୍ୟାକେଟ ସାର ଆସିଥିବାରୁ ପାକ୍ସ କର୍ତ୍ତୃପକ୍ଷ ପ୍ରଥମେ ଋଣୀ ଚାଷୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଚାଷୀ ପ୍ରତି ଗୋଟିଏ ପ୍ୟାକେଟ ଲେଖାଏ ସାର ଦେବାର ନିଷ୍ପତ୍ତି ନେଇଥିଲେ। ଫଳରେ ଅପେକ୍ଷାରେ ଥିବା ଅନେକ ଚାଷୀ ସାର ପାଇବାରୁ ବଞ୍ଚତ୍ତ ହୋଇଥିଲେ । ଏହାକୁ ନେଇ ସାର ପାଇ ପାରିନଥିବା ଚାଷୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଖା ଦେଇଥିଲା। ଅନେକ ଚାଷୀ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ପାକ୍ସ ସମ୍ମୁଖରେ ବିଭିନ୍ନ ନାରା ଦେଇ ବିଷୋଦ୍‌ଗାର କରିଥିଲେ। ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତୁରନ୍ତ ୟୁରିଆ ସାର ଯୋଗାଇବା ପାଇଁ ଚାଷୀ ସଂଗଠନ ପକ୍ଷରୁ ଦାବି ହୋଇଛି। ଏ ଦିଗରେ ପ୍ରଶାସନ ତଥା ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବି ହେଉଛି।