ବନ୍ୟଜନ୍ତୁ ଶିକାର କରିବାକୁ ବିଦ୍ୟୁତ୍‌ ଫାଶ ବିଛାଉଥିଲେ ଯୁବକ, ପୋଲିସକୁ ଦେଖି…

ଦେବଗଡ,୨୦।୯(ଶଶାଙ୍କ ଶେଖର ଝାଙ୍କର): ବନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତ୍‌ ଫାଶ ବିଛାଇବା ଅଭିଯୋଗରେ ବନ ବିଭାଗ ଜଣେ ଶିକାରୀକୁ ଗିରଫ କରିଛି । ଗିରଫ ଶିକାରୀ ଜଣକ ଦେବଗଡ ଥାନା ନୂଆଁଭୁଇଁ ଗ୍ରାମର ସୁନୀଲ ସାହୁ(୨୬)ବୋଲି ଜଣାପଡିଛି । ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତ୍ରୀରେ ବନବିଭାଗର ଏକ ସ୍ବତନ୍ତ୍ର ଟିମ ଦେବଗଡ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସୁନାମୁଣ୍ଡା ଅଂଚଳରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଜଣେ ଯୁବକ ସୁନାମୁଣ୍ଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଜନ୍ତୁ ଶିକାର ଉଦ୍ଦେଶ୍ୟରେ ବିଦ୍ୟୁତ ଫାଶ ବିଛାଉଥିବା ଦେଖିବାକୁ ପାଇଥିଲେ । ସେମାନଙ୍କୁ ଦେଖି ଯୁବକ ଜଣକ ଦୌଡି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ବନବିଭାଗ ପକ୍ଷରୁ ତାଙ୍କୁ କାବୁ କରାଯାଇଥିଲା । ଏଥିସହ ବିଦ୍ୟୁତ୍‌ ଫାଶରେ ବ୍ୟବହୃତ ୭.୨ କେଜି ଜିଆଇ ତାର, କାଚ ବୋତଲ ଏବଂ ହୁକିଂ ଷ୍ଟିକ ସମେତ ଏକ ବାଇକ ମଧ୍ୟ ଜବତ କରାଯାଇଛି। ପଚରାଉଚରା ବେଳେ ଯୁବକ ଜଣକ ନିଜର ପରିଚୟ ଦେବା ସହିତ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ବିଦ୍ୟୁତ ଫାଶ ପକାଇଥିବା ବନବିଭାଗ ସମ୍ମୁଖରେ ସ୍ବୀକାର କରିଥିଲା। ଫଳରେ ତାକୁ ଗିରଫ କରାଯାଇଥିଲା ଓ ଶନିବାର ତାକୁ କୋର୍ଟଚାଲାଣ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।