ଦିଗପହଣ୍ଡି,୧୯।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କୁକୁଡ଼ାଖଣ୍ଡି ବ୍ଲକ ବନ୍ଥପଲ୍ଲୀ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଶିବଶଙ୍କର ବିଷୋୟୀ ନାମକ ଜଣେ ଯୁବକଙ୍କୁ ଗ୍ରାମର କିଛି ଯୁବକ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୁରୁବାର ଅପରାହ୍ନରେ ଗ୍ରାମର ଖେଳ ପଡିଆରେ କ୍ରିକେଟ ମ୍ୟାଚ ହୋଇଥିଲା। ଖେଳରେ ହାର ଜିତ୍କୁ ନେଇ ଶିବଶଙ୍କରଙ୍କ ସହ ଅପରପକ୍ଷର କିଛି ଯୁବକଙ୍କ ମଧ୍ୟରେ ବଚ୍ସା ହୋଇଥିଲା। ଶିବଶଙ୍କର ରାତ୍ରି ଭୋଜନ ସାରି ଘର ପାଖରେ ଠିଆ ହୋଇଥିବା ବେଳେ ଗ୍ରାମର କିଛି ଯୁବକ ତାଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡା, କାତି ,ଠେଙ୍ଗା ଓ ଭୁଜାଲିରେ ଅତର୍କିତ ଆକ୍ରମଣ କରିଥିଲେ। ଶିବଶଙ୍କରଙ୍କୁ ପରିବାର ଲୋକେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ସେଠାରେ ତାଙ୍କ ଚିକିତ୍ସା ଚାଲିଛି। ଖବରପାଇ ପୋଲିସ ଟିମ ଗ୍ରାମରେ ପହଞ୍ଚି ପ୍ରାଥମିକ ତଦନ୍ତ କରି ଫେରିଥିଲେ। ପରିବାର ଲୋକେ ଏବଂ ଗ୍ରାମର ବହୁ ସଂଖ୍ୟକ ବ୍ୟକ୍ତି ଶୁକ୍ରବାର ସକାଳେ ଦିଗପହଣ୍ଡି ଥାନାରେ ପହଞ୍ଚି ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ରଙ୍କୁ ସାକ୍ଷାତ କରି ସବିଶେଷ ଆଲୋଚନା କରିବା ସହ ଥାନାରେ ଏତଲା ଦେଇଛନ୍ତି। ଏତଲା ପ୍ରକାରେ ଅଭିଯୁକ୍ତମାନଙ୍କ ନାଁରେ ମକଦ୍ଦମା ରୁଜୁ କରାଯାଇଛି। ଘଟଣାପରେ ଗ୍ରାମରେ ଚପା ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଆଇଆଇସି କହିଛନ୍ତି।