ଭଞ୍ଜନଗର,୫।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟ ସମ୍ମୁଖରେ ଗୁରୁବାର ଦିନଦ୍ୱିପ୍ରହରରେ ସର୍ବସମ୍ମୁଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ହେଲେ ବୁଦୁଲୀର
ଅଶୋକ ସାଇଁ (୪୫) । ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ଘଟଣାରୁ ପ୍ରକାଶ ଯେ, ଅଶୋକ ଆଜି ଭଞ୍ଜନଗର କୋର୍ଟକୁ କୌଣସି ଏକ ମାମଲାର ବାଇଦା ଥିବା ଯୋଗୁ ଆସିଥିଲେ। ଏହି ସମୟରେ କୋର୍ଟ ସମ୍ମୁଖରେ ଅନ୍ୟ ଜଣେ ଯୁବକ ଏକ ଟାଙ୍ଗିଆରେ ଅଶୋକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଏହାପରେ ଅଭିଯୁକ୍ତ ଜନକୁ ଲୋକେ କାବୁ କରି ପୋଲିସକୁ ଜିମା ଦେଇଥିଲେ। ଏଥିସହ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଶୋକଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଶୋକ ମୃତ୍ୟୁବରଣ କରିଛନ୍ତି। ଅଶୋକ ଅଟୋ ଚଳାଇ ପରିବାର ପୋଷୁଥିଲେ। ଏହି ଘଟଣା ଭଞ୍ଜନଗର ସହରରେ ଆତଙ୍କ ଖେଳାଇ ଦେଇଛି।