ପାଇକମାଳ,୧୨ା୩(ବଡ଼ ଶତପଥୀ): ପାଇକମାଳ ବ୍ଲକ ଅନ୍ତର୍ଗତ ବାଦିକଟା ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁବାର ଆହତ ହୋଇଛନ୍ତି। ଆହତ ଯୁବକ ଜଣକ ହେଲେ ପ୍ରବୀଣ ପ୍ରଧାନ (୨୮)।
ସୂଚନା ମୁତାବକ ପ୍ରବୀଣ ସକାଳୁ ସକାଳୁ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ନିଜ ବିଲରେ ଥିବା ମହୁଲ ଗଛ ନିକଟକୁ ଯାଇଥିବା ବେଳେ ହଠାତ୍ ଏକ ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ସେ ଚିତ୍କାର କରିବା ଯୋଗୁ ଆଖ ପାଖରେ ଥିବା ଲୋକମାନେ ଧାଇଁ ଯାଇ ତାଙ୍କୁ ଭାଲୁ କବଳରୁ ରକ୍ଷା କରିଥିଲେ। ଏହାପରେ ଭାଲୁଟି ଜଙ୍ଗଲ ଭିତରକୁ ଚାଲିଯାଇଥିଲା। ଭାଲୁ ଆକ୍ରମଣରେ ତାଙ୍କ ହାତ ଭାଙ୍ଗି ଯାଇଛି ଓ ଛାତିରେ ଗଭୀର କ୍ଷତ ହୋଇଛି। ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଉତ୍ତମ ଚିକିତ୍ସା ପାଇଁ ପ୍ରବୀଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଭାଲୁ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ଜଣେ ଗରିବ ଚାଷୀ ହୋଇଥିବା ଯୋଗୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି।