ଏହି ଛୋଟ କାମ ପାଇଁ ୧.୨ କୋଟି ଟଙ୍କାର ଚାକିରି ଛାଡ଼ିଦେଲେ ଯୁବକ: ସମସ୍ତେ କରୁଛନ୍ତି ବାଃ ବାଃ

ସମସ୍ତେ ଚାହାଁନ୍ତି ତାଙ୍କୁ ଏପରି ଏକ ଚାକିରି ମିଳୁ, ଯେଉଁଥିରେ ଲକ୍ଷ ଲକ୍ଷ ଟଙ୍କା ଦରମା ଏବଂ ସବୁ ପ୍ରକାର ସୁବିଧା ଥିବ। ଏହାଦ୍ୱାରା ସେ ଶାନ୍ତିରେ ନିଜ ଜୀବନ ବଞ୍ଚିପାରିବେ। ଯଦିଓ ଏହା ସମସ୍ତଙ୍କ ଭାଗ୍ୟରେ ଲେଖା ନ ଥାଏ, କିନ୍ତୁ ଯିଏ ଏପରି ଚାକିରି ପାଏ, ସେ ଆଗକୁ ବଢ଼ିବା ବଦଳରେ ଅନ୍ୟ କିଛି ଭାବିପାରେ ନାହିଁ। କିନ୍ତୁ ନିକଟରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ଯତ୍ନ ନେବା ପାଇଁ, ତାଙ୍କୁ କାମରେ ସାହାଯ୍ୟ କରିବା ପାଇଁ କୋଟି କୋଟି ଟଙ୍କାର ଚାକିରି ଛାଡ଼ିଛନ୍ତି। ଏହି ଘଟଣା ବେଙ୍ଗାଲୁରୁର ବୋଲି କୁହାଯାଉଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡିଟରେ ଏକ ପୋଷ୍ଟ ଭାଇରାଲ ହୋଇଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତି ଲେଖିଛନ୍ତି, ମୁଁ ଏକ କୋଟିରୁ ଅଧିକ ଟଙ୍କାର ଚାକିରିରୁ ଇସ୍ତଫା ଦେଉଛି। ମୁଁ ଗତ ୭ ବର୍ଷ ମଧ୍ୟରେ ବହୁତ ଆଗକୁ ବଢ଼ିଛି। କିନ୍ତୁ ଦୁଇ ମାସ ପୂର୍ବେ, ମୁଁ ଜାଣିବାକୁ ପାଇଲି ଯେ ଆମ ଘରକୁ ଜଣେ ନୂତନ ଅତିଥି ଆସିବାକୁ ଯାଉଛି ଅର୍ଥାତ୍‌ ମୋ ସ୍ତ୍ରୀ ମା’ ହେବାକୁ ଯାଉଛନ୍ତି। ତେଣୁ ମୁଁ ଚାହିଁଲି ତାଙ୍କ ସହାୟତା ପାଇଁ ଚାକିରିିରୁ ଗୋଟିଏ ବର୍ଷ ପାଇଁ ବିରତି ନେବି ଏବଂ ସ୍ତ୍ରୀଙ୍କୁ ଘର କାମରେ ସାହାଯ୍ୟ କରିବି। କିନ୍ତୁ ସ୍ତ୍ରୀ ଚାକିରି ଛାଡିବାକୁ ମନା କରିଥିଲେ। ଫଳରେ ସେ ଓ୍ବାର୍କ ଫର୍ମ ହୋମ କରିବାକୁ ନିଷ୍ପତ୍ତି ନେଇଥିଲେ।

ସେହି ବ୍ୟକ୍ତି ଜଣକ କହିଥିଲେ, ସେମାନେ ଦୁହେଁ କାମ ଏବଂ ଦାୟିତ୍ୱ ବାଣ୍ଟି ସାରିଛନ୍ତି। ସେ ନିଜକୁ ଭାଗ୍ୟବାନ ମନେ କରନ୍ତି, କାରଣ ତାଙ୍କ ପାଖରେ ଏପରି ପଦକ୍ଷେପ ନେବାର ସାହସ ଅଛି ଏବଂ ଏହା ମଧ୍ୟ ଜାଣନ୍ତି ଯେ ତାଙ୍କ ସମ୍ପର୍କ ଏବଂ ଅଭିଜ୍ଞତା ଯୋଗୁ ସେ ଯେତେବେଳେ ଚାହିଁବେ ସେତେବେଳେ ତାଙ୍କ କାମକୁ ଫେରିପାରିବେ। ସେହି ବ୍ୟକ୍ତି ତାଙ୍କ ପୋଷ୍ଟରେ ଏହା ମଧ୍ୟ କହିଛନ୍ତି, ତାଙ୍କର ଦରମା ବାର୍ଷିକ ୧.୨ କୋଟି ଟଙ୍କା।

ସେହି ବ୍ୟକ୍ତି ପୋଷ୍ଟରେ ଲେଖିଛନ୍ତି, ମୁଁ ଭାବୁଛି ଜୀବନରେ ସଠିକ ସମୟରେ ସଠିକ ସ୍ଥାନରେ ପହଞ୍ଚିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଆପଣଙ୍କ ସାଥୀ, ପିଲା ଏବଂ ମାତାପିତାଙ୍କୁ ଆପଣଙ୍କର ଆବଶ୍ୟକତା ଅଛି ସେତେବେଳେ ତାଙ୍କ ସହ ରହିବା ଉଚିତ୍‌। ଅନ୍ୟ ସବୁକିଛି ପରେ ଆସିଥାଏ। ସତ କହିବାକୁ ଗଲେ, ଏକ ଭଲ ଦରମା ପ୍ରାପ୍ତ ଚାକିରି ପାଇବା ଏକ ସହଜ କାମ, କିନ୍ତୁ ଏହି ବିଶେଷ ମୁହୂର୍ତ୍ତଗୁଡ଼ିକୁ ହାତଛଡ଼ା କରିବା ଠିକ ନୁହେଁ। ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟ ଭାଇରାଲ ହେବାପରେ ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି।