ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ ଥାନା ଅନ୍ତର୍ଗତ ଢିଅ କୁରାନ୍ସ ଗ୍ରାମର ଆସିଫ ଖାଁ ଧର୍ମଶାଳା ଥାନା ନେଉଳପୁର ଗ୍ରାମକୁ ବିବାହ ଉତ୍ସବରେ ଆସିଥିଲେ। ସେ ଓ ତାଙ୍କ ସାଙ୍ଗମାନେ ମିର୍ଜାପୁର ନିକଟରେ କେଲୁଅ ନଦୀରେ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ଗାଧୋଇବା ସମୟରେ ଗୋଡ଼ ଖସିଯାଇଥିଲା। ସାଙ୍ଗମାନେ ଗ୍ରାମବାସୀଙ୍କ ସହଯୋଗରେ ତାଙ୍କୁ ପାଣିରୁ ଉଦ୍ଧାର କରି ଧର୍ମଶାଳା ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ଡାକ୍ତର ଯୁବକ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଖବରପାଇ ଧର୍ମଶାଳା ପୋଲିସ ପହଞ୍ଚି ସ୍ଥିତିକୁ ଆୟତ କରିଥିବା ଜଣାପଡିଛି।