ନ୍ୟୁୟର୍କ,୨୬ା୧୧(ପି.ଟି.): ବିଶ୍ୱରେ ପ୍ରତି ୧୦ ମିନିଟ୍ରେ ଜଣେ ମହିଳା କିମ୍ବା ଯୁବତୀଙ୍କୁ ତାଙ୍କ ପାର୍ଟନର ଅଥବା ପରିବାର ସଦସ୍ୟ ହତ୍ୟା କରୁଥିବା ଜାତିସଂଘର ନୂତନ ତଥ୍ୟରୁ ଜଣାପଡ଼ିଛି। ଅର୍ଥାତ୍ ପ୍ରତିଦିନ ହାରାହାରି ୧୩୭ ଜଣ ମହିଳା ବା ବାଳିକାଙ୍କୁ ପରିବାର ସଦସ୍ୟ ହତ୍ୟା କରୁଥିବା ଜାତିସଂଘର ନିଶାଦ୍ରବ୍ୟ ଓ ଅପରାଧ କାର୍ଯ୍ୟାଳୟ (ୟୁଏନ୍ଓଡିସି) ଏବଂ ଜାତିସଂଘ ମହିଳା ରିପୋର୍ଟରେ ପ୍ରକାଶ ପାଇଛି। ଗତବର୍ଷ ୮୩,୦୦୦ ମହିଳା ଓ ଯୁବତୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହତ୍ୟା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬୦% ଅର୍ଥାତ୍ ୫୦,୦୦୦ଙ୍କୁ ସେମାନଙ୍କ ଘନିଷ୍ଠ ପାର୍ଟନର କିମ୍ବା ପରିବାର ସଦସ୍ୟ ହତ୍ୟା କରିଥିଲେ। ଅନ୍ୟପକ୍ଷରେ ଗତବର୍ଷ ପୁରୁଷ ହତ୍ୟାର ୧୧% ସେମାନଙ୍କ ପାର୍ଟନର କିମ୍ବା ପରିବାର ସଦସ୍ୟଙ୍କ ଦ୍ୱାରା କରାଯାଇଛି। ବିଶ୍ୱରେ ଅନେକ ମହିଳା ଓ ବାଳିକାଙ୍କ ପାଇଁ ଘର ଏକ ବିପଜ୍ଜନକ ସ୍ଥାନ ହୋଇ ରହିଥିବା ୟୁଏନ୍ଓଡିସିର କାର୍ଯ୍ୟକାରୀ ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଜନ୍ ବ୍ରାଣ୍ଡୋଲିନୋ କହିଛନ୍ତି।