ନୂଆପଡ଼ା,୭।୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା ନୂଆପଡ଼ା ଜିଲା ଖଡିଆଳ ବ୍ଲକ ବଡଦୋହେଲ ପଞ୍ଚାୟତ ସାନଦୋହେଲ ଗାଁରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଗାଁର ମାନସୀ ସୁନା (୨୭) ମାସେ ପୂର୍ବେ ଅସୁସ୍ଥ ହୋଇପଡିଥିଲେ। ସ୍ବାମୀ ଟୁନା ସୁନା ତାଙ୍କୁ ଖଡିଆଳ ମିଶନ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସ୍ବାସ୍ଥ୍ୟ ପରୀକ୍ଷା ପରେ ମୁଣ୍ଡରେ ଟ୍ୟୁମର ଥିବାରୁ ଶରୀର ଅସୁସ୍ଥ ହେଉଛି ଓ ଏହାକୁ ବାହାର କରିବା ପାଇଁ ୫ ଲକ୍ଷ ଟଙ୍କା ଲାଗିବ ବୋଲି କୁହାଯାଇଥିଲା। ଟୁନା ଏତେ ଟଙ୍କା ଯୋଗାଡ କରି ନ ପାରି ହସ୍ପିଟାଲରୁ ଫେରାଇ ଆଣିଲେ। ଘରେ ମାନସୀଙ୍କ ଶରୀର ଆହୁରି କ୍ଷୀଣ ହେବାରେ ଲାଗିଲା। ଟୁନା କୌଣସି ଉପାୟ ନ ପାଇ ନୂଆପଡା ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜିଲାପାଳ ସରକାରୀ ସାହାଯ୍ୟରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସା କରାଯିବ। ସେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି କହି ଗାଡି ଭଡା ବାବଦକୁ ରେଡ୍କ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ଦେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଧନେଶ୍ୱର ସେଠୀଙ୍କୁ ଶୀଘ୍ର ଏମ୍ସକୁ ପଠାଇବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କୁ ସାକ୍ଷାତ ସମୟରେ ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆ, ଆଦିବାସୀ ନେତା ବାଳକୃଷ୍ଣ ଶବର, ଉମାକାନ୍ତ ସୁନା ପ୍ରମୁଖ ଉପସ୍ଥିତ ଥିଲେ।