କେନ୍ଦୁଝର,୫।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ରେଞ୍ଜ ଅନ୍ତର୍ଗତ ବନାଯୋଡ଼ି ଗାଁରେ ଜଣେ ବ୍ୟକ୍ତିଙ୍କ ପୁରୁଣା ପଥର କୂଅରେ ଗତ କାଲି ରାତିରେ ଏକ ବୟସ୍କ ଦନ୍ତା ହାତୀ ଖସି ପଡିଥିଲା। ହାତୀକୁ ଦୀର୍ଘ ଘଣ୍ଟା ପରେ ଉଦ୍ଧାର କରାଗଲା। ହାତୀଟି ଖାଦ୍ୟ ଅନ୍ବେଷଣରେ ବୁଲୁ ବୁଲୁ ବାଡ଼ିରେ ଥିବା ଖୋଲା କୂଅ ଭିତରେ ପଡିଯାଇଥିଲା।
ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଦମକଳ ବିଭାଗକୁ ସୂଚନା ଦେଇଥିଲେ। ଦମକଳ ବିଭାଗ ଗାଡ଼ି ପହଞ୍ଚି କୂଅକୁ ମେଶିନରେ ଭାଙ୍ଗି ହାତୀଟିକୁ ଆଜି ସକାଳେ ବାହାର କରିଥିଲେ। ଉଦ୍ଧାର କାର୍ଯ୍ୟ ଓ ହାତୀକୁ ଦେଖିବାକୁ ଭିଡ ଜମିଥିଲା। ଉଦ୍ଧାର ପରେ ହାତୀଟି ପଳାଇ ଥିଲା। ଖାଦ୍ୟ ଅଭାବରୁ ହାତୀମାନେ ଜଙ୍ଗଲରୁ ଗ୍ରାମାଞ୍ଚଳ ଚାଲି ଆସୁଛନ୍ତି ଏବଂ ଏଭଳି କୂଅରେ ପଡ଼ି ମୃତାହତ ହେଉଛନ୍ତି। ଗତ ସପ୍ତାହରେ ଏହି ରେଞ୍ଜର କାଠ ବାଉଁଶୁଳୀ ଗ୍ରାମରେ ଜଣେ ବ୍ୟକ୍ତି ବାଡ଼ିରେ ହାତୀ ଛୁଆ ଖସି ପଡ଼ି ମୃତ୍ୟୁ ପରେ ଆଜିକାର ଏଭଳି ଘଟଣା ବନ ବିଭାଗ ପାଇଁ ଚିନ୍ତାର ବିଷୟ ହୋଇଛି।