ପୃଥିବୀ ପ୍ରତି ମାଡ଼ି ଆସୁଛି ଭୟଙ୍କର ବିପଦ, ଭାରତ ସମେତ ଏସବୁ ଦେଶ ହେବେ ପ୍ରଭାବିତ

ବ୍ରୁସ୍‌ଲେସ୍‌,୧୪ା୧୧: ପୃଥିବୀ ପ୍ରତି ମାଡ଼ି ଆସୁଛି ଭୟଙ୍କର ବିପଦ । ଯାହାକୁ ନେଇ ଏବେଠୁ ଚେତାବନୀ ଦେଇଛନ୍ତି ବୈଜ୍ଞାନିକ। ସେମାନେ କହିଛନ୍ତି, ଆଟ୍‌ଲାଣ୍ଟିକ୍‌ ମହାସାଗରର ମୁଖ୍ୟ ସମୁଦ୍ର ସ୍ରୋତ, ଯାହା ୟୁରୋପ ଏବଂ ଅନ୍ୟାନ୍ୟ ମହାଦେଶକୁ ଉଷ୍ମ ରଖେ ତାହା ଏବେ ଅଦୃଶ୍ୟ ହୋଇଯାଉଛି। ଏହି ସ୍ରୋତ ଥଣ୍ଡା ହେଉଛି, ଯାହାକୁ ଆଇସଲାଣ୍ଡ ଜାତୀୟ ସୁରକ୍ଷା ପାଇଁ ଏକ ବଡ଼ ବିପଦ। ଯଦି ଏହି ସ୍ରୋତ ବନ୍ଦ ହୋଇଯାଏ, ତେବେ ସମଗ୍ର ୟୁରୋପରେ ଆଉ ଏକ ହିମ ଯୁଗ ଘଟିପାରେ, ସବୁଠି ବରଫ ପଡ଼ିପାରେ।

ରିପୋର୍ଟ ଅନୁସାରେ, ଆଇସଲାଣ୍ଡର ଜଳବାୟୁ ମନ୍ତ୍ରୀ, ଜୋହାନ ପାଲ ଜୋହାନସନ କହିଛନ୍ତି ଯେ, ଏହା ଦେଶର ଅସ୍ତିତ୍ୱ ପାଇଁ ଭୟଙ୍କର ବିପଦ ସୃଷ୍ଟି କରୁଛି। ସେ କହିଛନ୍ତି, ସରକାର ଏବେ ସବୁଠାରୁ ଖରାପ ପରିସ୍ଥିତି ପାଇଁ ଯୋଜନା କରୁଛନ୍ତି, କାରଣ ଆଇସଲାଣ୍ଡ ଉତ୍ତର ମେରୁରେ ଅବସ୍ଥିତ ଏବଂ ସବୁଠାରୁ ଅଧିକ ପ୍ରଭାବିତ ହେବ।

ଏହି ସ୍ରୋତକୁ ଆଟ୍‌ଲାଣ୍ଟିକ୍‌ ମେରିଡିୟୋନାଲ ଓଭରଟର୍ନିଂ ସର୍କୁଲେସନ (AMOC)କୁହାଯାଏ, ଯାହା ଉଷ୍ଣକଟିବନ୍ଧରୁ ଆର୍କଟିକକୁ ଉଷ୍ମ ପାଣି ବହନ କରେ। ଏହା ୟୁରୋପୀୟ ଶୀତକୁ ହାଲୁକା ରଖେ, କିନ୍ତୁ ଜଳବାୟୁ ପରିବର୍ତ୍ତନ ଆର୍କଟିକ ବରଫକୁ ତରଳିବାରେ ଲାଗିଛି। ଗ୍ରୀନଲାଣ୍ଡ ବରଫ ଚାଦରରୁ ଥଣ୍ଡା ପାଣି ସମୁଦ୍ରକୁ ପ୍ରବାହିତ ହେଉଛି।

ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ଥଣ୍ଡା ପାଣି ସ୍ରୋତକୁ ବାଧା ଦେଇପାରେ। ଯଦି AMOC ଭୁଶୁଡ଼ି ପଡ଼େ, ତେବେ ଶୀତଦିନେ ଉତ୍ତର ୟୁରୋପରେ ତାପମାତ୍ରା ବହୁତ ହ୍ରାସ ପାଇବ, ତୁଷାରପାତ ଏବଂ ବରଫ ଝଡ଼ ବୃଦ୍ଧି ପାଇବ। ବୈଜ୍ଞାନିକମାନେ କହିଛନ୍ତି, ଏହି ସ୍ରୋତ ପୂର୍ବରୁ ମଧ୍ୟ ଭୁଶୁଡ଼ି ପଡ଼ିଛି। ଏହା ପ୍ରାୟ ୧୨୦୦୦ ବର୍ଷ ପୂର୍ବେ ଶେଷ ବରଫ ଯୁଗ ପୂର୍ବରୁ ଘଟିଥିଲା।

AMOCର ଭୁଶୁଡ଼ି କେବଳ ୟୁରୋପ ନୁହେଁ ବରଂ ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରିପାରେ। ଆଫ୍ରିକା, ଭାରତ ଏବଂ ଦକ୍ଷିଣ ଆମେରିକାରେ ବର୍ଷା ଧାରାକୁ ବାଧା ଦେଇପାରେ। ଆଣ୍ଟାର୍କଟିକାରେ ଗରମ ତୀବ୍ର ହୋଇପାରେ। ଯେଉଁଠାରେ ବରଫ ପୂର୍ବରୁ ବିପଦରେ ଅଛି। ବୈଜ୍ଞାନିକମାନେ ନିରନ୍ତର ଚେତାବନୀ ଦେଉଛନ୍ତି ଯେ, ବଢ଼ୁଥିବା ବିଶ୍ୱ ତାପମାତ୍ରା ଯୋଗୁ ଆଗାମୀ କିଛି ଦଶନ୍ଧି ମଧ୍ୟରେ ଏହି ଘଟଣା ପୂର୍ଣ୍ଣ କ୍ଷମତାରେ ପହଞ୍ଚିବ।

ଫିନିସ୍‌ ପାଣିପାଗ ପ୍ରତିଷ୍ଠାନର ବୈଜ୍ଞାନିକ ଆଲେକ୍ସି ନୁମେଲିନ କହିଛନ୍ତି, ଏହା କେବେ ଘଟିବ ସେ ବିଷୟରେ ବହୁତ ଗବେଷଣା କରାଯାଉଥିଲେ ମଧ୍ୟ ସମାଜ ଉପରେ ଏହାର ପ୍ରଭାବ ବିଷୟରେ ବହୁତ କମ୍‌ ଜଣାପଡ଼େ। ସେହିପରି ଜର୍ମାନୀର ପୋଟ୍ସଡାମ ସଂସ୍ଥାର ଷ୍ଟେଫାନ ରାହମଷ୍ଟର୍ଫ କହିଛନ୍ତି, ବିଜ୍ଞାନ ଦ୍ରୁତଗତିରେ ପରିବର୍ତ୍ତନ ହେଉଛି। ସମୟ କମ୍‌ ଅଛି, କାରଣ ଟିପିଂ ପଏଣ୍ଟ ପାଖେଇ ଆସୁଛି।

Dharitri – Odisha’s No.1 Trusted Odia Daily

Share