ବୈଜ୍ଞାନିକଙ୍କ ଚେତାବନୀ: ମାନବଜାତି ପାଇଁ ଘାତକ ହୋଇପାରେ କରୋନାର ନୂଆ ଭାରିଆଣ୍ଟ ‘ନିଓକୋଭ୍‌’

ନୂଆଦିଲ୍ଲୀ,୨୮।୧: ମହାମାରୀ କରୋନାର ଗୋଟିଏ ପରେ ଗୋଟିଏ ଭାରିଆଣ୍ଟ ବିଶ୍ୱବାସୀଙ୍କ ନିଦ ହଜାଇଥିବା ବେଳେ ଏବେ ନୂଆ ବିପଦ ସାମ୍ନାକୁ ଆସିଛି। ଚାଇନାର ଉହାନ ସହରର ବୈଜ୍ଞାନିକ କରୋନାର ନୂଆ ରୂପ NeoCov(ନିଓକୋଭ୍‌) ଭାଇରସ୍‌କୁ ଚିହ୍ନଟ କରିଛନ୍ତି। ଏହା ବେଶ ମାରାତ୍ମକ ହୋଇଥିବା ବେଳେ ସଂକ୍ରମିତ କରୁଥିବା ୩୩%ଙ୍କ ଜୀବନ ନେବାକୁ ସକ୍ଷମ। ଅର୍ଥାତ ପ୍ରତି ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇବାର ଆଶଙ୍କା ମଧ୍ୟ ରହିଛି।

ଏହି ନିଓକୋଭ୍‌ ଭାଇରସ୍‌ ନୂଆ ନୁହେଁ। ୨୦୧୨ ଓ ୨୦୧୫ରେ ପଶ୍ଚିମ ଏସିଆରେ ଏହା ଦେଖିବାକୁ ମିଳିଥିଲା। ଏବେ ଦକ୍ଷିଣ ଆଫ୍ରିକାରେ ଥିବା ବାଦୁଡ଼ିମାନଙ୍କ ଶରୀରରୁ ଏହା ମିଳିଛି। ଭବିଷ୍ୟତରେ ଏହା ମନୁଷ୍ୟ ପାଇଁ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇପାରେ। ହେଲେ ଏପର୍ଯ୍ୟନ୍ତ ତାହା ମଣିଷଙ୍କ ଦେହରେ ଚିହ୍ନଟ ହୋଇନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ଗବେଷକଙ୍କ ଅନୁସାରେ ଏହି ନୂଆ ଭାଇରସକୁ ମଣିଷ ଦେହରେ ସଂକ୍ରମିତ ହେବାକୁ କେବଳ ଗୋଟିଏ ମ୍ୟୁଟେସନ ଆବଶ୍ୟକ। ଥରେ ଏଥିରେ ସଂକ୍ରମିତ ହେଲେ ଅଧିକାଂଶ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବ।

ତେବେ ଡବ୍ଲୁଏଚ୍‌ଓ ଏହାକୁ ଗୁରୁତ୍ୱର ସହ ନେଇଛି। ଭାଇରସ୍‌ ମାନବଜାତି ପ୍ରତି କି ବିପଦ ସୃଷ୍ଟି କରିବ, ତାହା ଅଧିକ ଗବେଷଣା ପରେ ଜଣାପଡ଼ିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।