କେସିଙ୍ଗା,୯।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ କନ୍ତେଶିର ଗ୍ରାମର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ରାଇଟ କେନାଲ ପାଶର୍ବରେ ଅଧୀକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଜନ କଳାହାଣ୍ଡିଙ୍କ ନିର୍ଦ୍ଦେଶ କ୍ରମେ ଓସିସି ଲିମିଟେଡ଼ ଭୁବନେଶ୍ୱର ଦ୍ୱାରା ରାସ୍ତା କାମ ନିର୍ମାଣ ହେଉଛି। ଏହି ରାସ୍ତା ନିର୍ମାଣ ପାଇଁ କନ୍ତେଶିର ଗ୍ରାମର ଚାଷୀବୃନ୍ଦ ଭବାନୀପାଟଣାସ୍ଥିତ ଅଧୀକ୍ଷଣ ଯନ୍ତ୍ରୀ ଜଳସେଚନ ବିଭାଜନ କଳାହାଣ୍ଡିଙ୍କୁ ଲିଖିତ ଆଦେଦନ କରିଥିଲେ। କାରଣ ଜାତୀୟ ରାଜପଥ ୨୬ରୁ ପ୍ରାୟ ୩ କିମି ରାସ୍ତା ଏହା ପୂର୍ବରୁ ପିଚୁ କାମ ସମ୍ପୂର୍ଣ୍ଣ ହୋଇଥିଲା। ଆଉ ୨.୫୦୦କିମି ରାସ୍ତା କାଦୁଅ ରାସ୍ତା ଥିବାରୁ ଏହି ରାସ୍ତା ଉପରେ ଚାଷୀବୃନ୍ଦ ଗମନାଗମନ କ୍ଷେତ୍ରରେ ଘୋର ସମସ୍ୟା ଭୋଗୁଥିଲେ।
ବର୍ଷା ଦିନରେ ଟ୍ରାକ୍ଟର, ବଳଦ ଗାଡି ଯିବା ବେଳେ କାଦୁଅରେ ଅସୁବିଧା ହେଉଥିଲା। ଏହିରାସ୍ତା ନିର୍ମାଣ ହେବା ଦ୍ୱାରା ଏହି ଅଞ୍ଚଳର ପ୍ରାୟ ଦୁଇ ଶହ ଚାଷୀ ୫ଶହ ଏକର ଜମିକୁ ସୁଚାରୁରୂପେ ଗମନାଗମନ କରି ପାରିବେ। ଏହି ରାସ୍ତା ନିର୍ମାଣ ହେବା ଦାରା ଚାଷୀଙ୍କ ସୁବିଧାରେ ବର୍ତ୍ତମାନ ଗମନାଗମନ କରିପାରୁଛନ୍ତି। ରାସ୍ତା ନିର୍ମାଣ ହେବାରୁ ଚାଷୀଙ୍କ ପାଇଁ ଆଉ ଏକ ଧାନ ମଣ୍ଡି ନିର୍ମାଣ ହେବା ପାଇଁ ସର୍ଭେ କାମ ମଧ୍ୟ ସମ୍ପୂର୍ଣ ହୋଇଛି। ଏହି୨.୫୦୦କିମି ରାସ୍ତା ନିର୍ମାଣ ପାଇଁ ୭୨ ଲକ୍ଷ୩ ୭୫୩ ଟଙ୍କା ବ୍ୟୟ ଅଟକଳରେ ବିଭାଗୀୟ ଅଧିକାରୀ ଟେଣ୍ଡର ଦାରା ଓସିସି ଲିମିଟେଡ଼ ଭୁବନେଶ୍ୱରଙ୍କୁ ଦାୟିତ୍ୱ ଦିଆଯାଇଛି।
କନ୍ତେଶିର ଗ୍ରାମର ପ୍ରାୟ ଶତାଧିକ ଚାଷୀ କ୍ଷୁଦ୍ର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ପିଚୁ ରାସ୍ତା ନିର୍ମାଣ ହେବା ଦ୍ୱାରା ଚାଷୀ ବୃନ୍ଦ ଉପକୃତ ହେବା ସହ ଏକ ଧାନ ମଣ୍ଡି ମଧ୍ୟ ନିର୍ମାଣ ହେବାରୁ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏ ସଂକ୍ରାନ୍ତରେ କେସିଙ୍ଗା କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀ ଜଗମୋହନ ନାଏକଙ୍କୁ ପଚାରିବାରୁ ଏହି ଅଞ୍ଚଳ ଚାଷୀମାନେ କାଦୁଅ ରାସ୍ତାରେ ଯିବା ଆସିବା କରୁଥିଲେ, ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ଦୁଇ ତିନି ଦିନ ମଧ୍ୟରେ ପିଚୁ ରାସ୍ତା କାମ ସମ୍ପୂର୍ଣ୍ଣ ହେବ ବୋଲି ପ୍ରକାଶ କରିଥିଲେ।