ସାମାଜିକ ସଶକ୍ତୀକରଣର ପ୍ରତୀକ

ବିଶ୍ୱର ସର୍ବପୁରାତନ ଗଣତାନ୍ତ୍ରିକ ରାଷ୍ଟ୍ର ଆମେରିକା ଏ ଯାଏ ମହିଳା ରାଷ୍ଟ୍ରପତି ପାଇପାରି ନାହିଁ। ହେଲେ ବୃହତ୍‌ ସାଧାରଣତନ୍ତ୍ର ଭାବେ ପରିଚିତ ଭାରତ ତା’ର ସ୍ବାଧୀନତାର ୭୫ ବର୍ଷ ପାଳନ କରୁଥିବା ବେଳେ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ପାଇଛି। ଏଥିସହିତ ଏହି ପଦବୀରେ ଆସୀନ ହେବାରେ ସେ ହେଉଛନ୍ତି ପ୍ରଥମ ଆଦିବାସୀ। ଆସନ୍ତାକାଲି ଅର୍ଥାତ୍‌ ୨୫ ଜୁଲାଇ ୨୦୨୨ରେ ଦ୍ରୌପଦୀ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ୨୦୧୧ ଜନଗଣନା ଅନୁଯାୟୀ ଦେଶ ଜନସଂଖ୍ୟାର ୧୦ କୋଟି ୪୩ ଲକ୍ଷ ଅର୍ଥାତ୍‌ ୮.୬ ପ୍ରତିଶତ (ଏବେ ସେମାନଙ୍କ ସଂଖ୍ୟା ବଢ଼ିଯିବା ସ୍ବାଭାବିକ) ଆଦିବାସୀ ଅଛନ୍ତି। ସେମାନଙ୍କ ମଧ୍ୟରେ ଦ୍ରୌପଦୀ ଜଣେ ହୋଇପାରିଥିବାରୁ ସେହି ବର୍ଗ ଆଜି ଭାରତୀୟ ରାଜନୀତିରେ ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ କରିପାରିଛି ବୋଲି କୁହାଯାଇପାରେ। ଜୁଲାଇ ୨୪ରେ ରାମନାଥ କୋବିନ୍ଦ ଦଳିତ ରାଷ୍ଟ୍ରପତି ଭାବେ ବିଦାୟ ନେଉଥିବା ବେଳେ ତାଙ୍କ ଉତ୍ତରାଧିକାରୀ ରୂପେ ଆଦିବାସୀ ମହିଳା ଦ୍ରୌପଦୀ ସେହି ପଦବୀଯୁକ୍ତ ହେବା ସୂଚାଇ ଦେଉଛି ଯେ, ନିଷ୍ପୀଡ଼ିତ ବର୍ଗ ସାମାଜିକ ଓ ରାଜନୈତିକ ମୁଖ୍ୟସ୍ରୋତରେ ସମ୍ପୂର୍ଣ୍ଣ ସାମିଲ ହେବାରେ ଲାଗିଛି। ଭାରତରେ ଏଭଳି ସମୟ ଯଥାର୍ଥରେ ବିଭେଦତାକୁ ଦୂରେଇ ଦେଇ ଏକତ୍ୱ ଆଡ଼କୁ ମୁହଁାଇବା ସହ ବିଶ୍ୱ ସମ୍ମୁଖରେ ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିଛି।
ଦ୍ରୌପଦୀ ଓଡ଼ିଶାର ମୟୂରଭଞ୍ଜ ଜିଲା କୁସୁମୀ ବ୍ଲକର ଉପରବେଡ଼ାରେ ୨୦ ଜୁନ୍‌ ୧୯୫୮ରେ ଏକ ସାନ୍ତାଳ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସ୍ବାଧୀନତା ପରେ ଜନ୍ମ ହୋଇଥିବା ଏହି ମହିଳା ଦେଶର ସର୍ବକନିଷ୍ଠା ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କ ପିତା ଓ ଜେଜେବାପା ଗ୍ରାମର ପାରମ୍ପରିକ ମୁଖିଆ ରହିଆସିଥିଲେ। ସମ୍ଭବତଃ ସେହି ନେତୃତ୍ୱର କଳା ତାଙ୍କ ଭିତରେ ପିଲାଟି ବେଳୁ ରହିଆସିଛି। ଗାଁ ସ୍କୁଲରେ ପଢ଼ିଲା ବେଳେ ସ୍କୁଲରେ ମନିଟର ହେବାଠାରୁ ଆରମ୍ଭ କରି ଦୌଡ଼କୁଦରେ ସେ ଭଲ କରୁଥିଲେ। ଆଦିବାସୀ ହୋଇଥିଲେ ହେଁ ତାଙ୍କ ପିତାଙ୍କ ଦୂରଦୃଷ୍ଟି ଥିବାରୁ ଝିଅକୁ ଭୁବନେଶ୍ୱର ରମାଦେବୀ କଲେଜରେ ପଢ଼ିବା ଲାଗି ସୁଯୋଗ ଦେଇଥିଲେ। ସେହିଠାରୁ ସେ କଳାରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ବ୍ୟାଙ୍କରେ ଚାକିରି କରୁଥିବା ଶ୍ୟାମଚରଣ ମୁର୍ମୁଙ୍କୁ ସେ ବିବାହ କରିଥିଲେ। କିଛି ବର୍ଷ ତଳେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ତିନି ସନ୍ତାନଙ୍କ ମଧ୍ୟରୁ ବଡ଼ ପୁଅ ଲକ୍ଷ୍ମଣ ଓ ସାନ ପୁଅ ବିରଞ୍ଚତ୍ଙ୍କ ଅକାଳ ମୃତ୍ୟୁ ହୋଇଥିବା ବେଳେ ଝିଅ ଇତିଶ୍ରୀ ଏବେ ବ୍ୟାଙ୍କରେ କାର୍ଯ୍ୟ କରୁଛନ୍ତି। ତାଙ୍କର ଜଣେ ନାତୁଣୀ ଅଛନ୍ତି। ତାଙ୍କ ଉପରେ ଦୁଃଖର ବୋଝ ୨୦୦୯ରୁ ୨୦୧୫ ମଧ୍ୟରେ ଲଦି ହୋଇଯାଇଥିଲା। ଏହି ସାତ ବର୍ଷ ମଧ୍ୟରେ ସେ ସ୍ବାମୀ, ଦୁଇ ପୁଅ, ମା’ ଏବଂ ଜଣେ ଭାଇଙ୍କୁ ହରାଇଥିଲେ। ସେ ବ୍ରହ୍ମାକୁମାରୀ ଆଧ୍ୟାତ୍ମିକ ଆନ୍ଦୋଳନର ଅନୁଗାମୀ ରହିଆସିଛନ୍ତି।
ଦ୍ରୌପଦୀଙ୍କ ଜୀବନଯାତ୍ରାକୁ ଅନୁଧ୍ୟାନ କଲେ ସେ କେତେ କଷ୍ଟ ସହି ଆଜି ଦେଶର ସର୍ବୋଚ୍ଚ ଆସନରେ ଅବସ୍ଥାପିତ ହେବାକୁ ଯାଉଛନ୍ତି, ତାହା ବୁଝାପଡ଼େ। ୧୯୭୯ରୁ ୧୯୮୩ ଯାଏ ସେ ଓଡ଼ିଶା ସରକାରଙ୍କ ଜଳସେଚନ ବିଭାଗରେ ଜୁନିୟର ଆସିଷ୍ଟାଣ୍ଟ୍‌ ଭାବେ କାର୍ଯ୍ୟ କରିଥିଲେ। ତା’ ପରେ ସେ ରାଇରଙ୍ଗପୁରସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷୟିତ୍ରୀ ହୋଇଥିଲେ। ସେଠାରେ ସେ ହିନ୍ଦୀ, ଓଡ଼ିଆ, ଗଣିତ ଓ ଭୂଗୋଳ ପଢ଼ାଉଥିଲେ। ରାଜନୀତିକୁ ପ୍ରବେଶ କରିବାର ସୁଯୋଗ ମିଳିବାରୁ ସେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ ହୋଇଥିଲେ। ଫଳରେ ୧୯୯୭ରେ ସେ ରାଇରଙ୍ଗପୁର ନଗର ପଞ୍ଚାୟତର କାଉନ୍‌ସିଲର ଭାବେ ନିର୍ବାଚିତ ହୋଇଥିଲେ। ଏହି ସଫଳତା ତାଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥିଲା। ଯେତେବେଳେ ବିଜେଡି ଓ ଭାଜପା ମିଶି ଓଡ଼ିଶାରେ ସରକାର ଗଢ଼ିଥିଲେ ସେହି ସମୟରେ ଦ୍ରୌପଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ୬ ମାର୍ଚ୍ଚ ୨୦୦୦ରୁ ୬ ଅଗଷ୍ଟ ୨୦୦୨ ଯାଏ ସେ ବାଣିଜ୍ୟ ଓ ପରିବହନ ବିଭାଗ (ସ୍ବାଧୀନ) ମନ୍ତ୍ରୀ ରହିଥିବା ବେଳେ ୬ ଅଗଷ୍ଟ ୨୦୦୨ରୁ ୧୬ ମେ ୨୦୦୪ ପର୍ଯ୍ୟନ୍ତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ତେବେ ପରବର୍ତ୍ତୀ ସମୟରେ ବିଜେଡି-ଭାଜପା ସମ୍ପର୍କ ତୁଟିଯିବାରୁ ୨୦୦୯ରେ ସେ ମୟୂରଭଞ୍ଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ହାରିଯାଇଥିଲେ। ଏହାସତ୍ତ୍ୱେ ପାର୍ଟି ପାଇଁ କାର୍ଯ୍ୟ ଜାରି ରଖିଥିବାରୁ ରାଷ୍ଟ୍ରୀୟ ନେତୃତ୍ୱ ତାଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ୧୮ ମେ ୨୦୧୫ରେ ଅବସ୍ଥାପିତ କରିଥିଲା। ଜୀବନର ମଧ୍ୟାହ୍ନରେ ଅନେକ ଝଡ଼ଝଞ୍ଜା ସହିଥିବା ଏହି ମହିଳାଙ୍କୁ ଶେଷରେ ଭାଗ୍ୟଦେବୀ ସହାୟ ହୋଇଥିଲେ। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ତାଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଦ୍ରୌପଦୀ ନିଜକୁ ନିଜେ ବିଶ୍ୱାସ କରିପାରି ନ ଥିଲେ। ଇତିମଧ୍ୟରେ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ହରାଇ ସେ ରାଷ୍ଟ୍ରପତି ହୋଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ସେ ବିରୋଧୀଙ୍କ ଶିବିରରୁ ଭୋଟ ଆଣି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅବଶ୍ୟ କୁହାଯାଉଛି ଭାଜପା ଦେଶର ଆଦିବାସୀ ଭୋଟକୁ ଆଖିଆଗରେ ରଖି ଦ୍ରୌପଦୀଙ୍କୁ ମାଧ୍ୟମ କରିଛି। ଆଲୋଚନା ଯାହା ହେଉଥିଲେ ମଧ୍ୟ ଦ୍ରୌପଦୀ ସାମାଜିକ ଓ ରାଜନୈତିକ ସଶକ୍ତୀକରଣର ନୂଆ ପ୍ରତୀକ ହୋଇଯାଇଥିବାରୁ ତାଙ୍କ ଜୀବନ କାହାଣୀ ପରବର୍ତ୍ତୀ ପିଢ଼ି ପାଇଁ ଅନୁସରଣୀୟ।

– ଜିତେନ୍ଦ୍ର କୁମାର ନାୟକ