ହାଇଦ୍ରାବାଦ,୬ା୬: ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲାର ବାଚୁପାଲିରେ ଏକ ଲାଲ୍ ସୁଟକେସ୍କୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏହି ସୁଟ୍କେସ୍ରୁ ଦୁର୍ଗନ୍ଧ ଆସୁଥିବାରୁ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାକୁ ଖୋଲିବା ପରେ ଯାହା ଦେଖିଲା ଆଶ୍ଚର୍ଯ୍ୟ ହୋଇଗଲା।
ପୋଲିସ ସୂଚନାନୁଯାୟୀ, ବିଜୟଦୁର୍ଗା ମାଲିକ ସଂଘ କଲୋନୀରେ ଥିବା ରେଡ୍ଡି ଲ୍ୟାବର କାନ୍ଥ ପାଖରେ ଥିବା ଏକ ସୁଟ୍କେସ୍ ମଧ୍ୟରୁ ଜଣେ ମହିଳାଙ୍କ ମୃତଦେହ ମିଳିଛି। ପୋଲିସ କହିଛି, ବୁଧବାର ଅପରାହ୍ନରେ ସେମାନେ ସୂଚନା ପାଇଥିଲେ ଯେ, ସେହି ସ୍ଥାନରେ ଏକ ଲାଲ୍ ସୁଟ୍କେସ୍ରୁ ଦୁର୍ଗନ୍ଧ ଆସୁଛି। ଯେତେବେଳେ ସେମାନେ ସୁଟ୍କେସ୍ ଯାଞ୍ଚ କରିଥିଲେ, ଏଥିମଧ୍ୟରୁ ଜଣେ ମହିଳାଙ୍କ ମୃତଦେହ ପାଇଥିଲେ।
ମୃତ ମହିଳାଙ୍କ ବୟସ ୨୫ରୁ ୩୫ ବର୍ଷ ମଧ୍ୟରେ ବୋଲି କୁହାଯାଉଛି। ପୋଲିସ ସନ୍ଦେହ କରୁଛି ଯେ, ୧୦ରୁ ୧୨ଦିନ ପୂର୍ବରୁ ହତ୍ୟା କରାଯାଇଥାଇପାରେ। ଜଣେ ପୋଲିସ ଅଧିକାରୀ କହିଛନ୍ତି, ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ଜଣାପଡୁଛି ଯେ, କେହି ତାଙ୍କୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରି ଏଠାରେ ଫିଙ୍ଗି ଦେଇଛନ୍ତି। ତାଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପୋଲିସ ଅଧିକାରୀ କହିଛନ୍ତି, ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମହିଳାଙ୍କ ମୃତ୍ୟୁ କିପରି ହେଲା ତାହା ଜାଣିବାରେ ସାହାଯ୍ୟ କରିବ ଏବଂ ଏହା ତଦନ୍ତ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁରାକ ପ୍ରଦାନ କରିପାରିବ।
ପୋଲିସ କହିଛି, ଭାରତୀୟ ନାଗରିକ ସୁରକ୍ଷା ଆଇନ (BNPS) ଧାରା ୧୯୪ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ସୁଟ୍କେସ୍ ଫିଙ୍ଗିଥିବାର ଫୁଟେଜ ପାଇବା ପାଇଁ ସିସି ଟିଭି କ୍ୟାମେରା ଯାଞ୍ଚ କରୁଛି। ମୃତକଙ୍କୁ ଚିହ୍ନଟ କରିବା ଏବଂ ତାଙ୍କ ମୃତ୍ୟୁ ପାଇଁ ଦାୟୀ ଲୋକଙ୍କୁ ଗିରଫ କରିବା ପାଇଁ ପୋଲିସ ବାଲାନଗର ଜୋନ ଡେପୁଟି ପୋଲିସ କମିଶନର କେ. ସୁରେଶ କୁମାରଙ୍କ ତତ୍ତ୍ୱାବଧାନରେ ସ୍ବତନ୍ତ୍ର ଦଳ ଗଠନ କରାଯାଇଛି।
ପୋଲିସ ତଦନ୍ତର ପ୍ରାରମ୍ଭିକ ପର୍ଯ୍ୟାୟ ତଦାରଖ କରିବା ଏବଂ ଦଳଗୁଡ଼ିକୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେବା ପାଇଁ ଅପରାଧ ଘଟଣାସ୍ଥଳ ପରିଦର୍ଶନ କରିଛି। ସେମାନଙ୍କ ଅଞ୍ଚଳରେ କୌଣସି ନିଖୋଜ ମାମଲା ପଞ୍ଜୀକୃତ ହୋଇଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ନିକଟବର୍ତ୍ତୀ ଥାନାଗୁଡ଼ିକୁ ମଧ୍ୟ ସୂଚନା ଦିଆଯାଇଛି। ମୃତ ମହିଳାଙ୍କ ପରିଚୟ କିମ୍ବା ତାଙ୍କ ମୃତ୍ୟୁ ସମ୍ପର୍କିତ ପରିସ୍ଥିତି ବିଷୟରେ ସୂଚନା ଥିବା ଯେକୌଣସି ବ୍ୟକ୍ତିଙ୍କୁ ବାଚୁପଲ୍ଲୀ ପୋଲିସ ଷ୍ଟେସନ ସହିତ ଯୋଗାଯୋଗ କରିବାକୁ ପୋଲିସ ଅନୁରୋଧ କରିଛି।