ଦିଗପହଣ୍ଡି,୧୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସନ୍ଥ ଅରକ୍ଷିତ ଦାସ ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଏକ ଘରୋଇ ଯାତ୍ରୀବାହୀ ବସ୍ (ନଂ. ଓଡ଼ି୦୨ଏଡି-୮୯୫୭)ଧକ୍କାରେ ଜଣେ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣଙ୍କ ହେଲେ ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମର ଜେ.ହରିକୃଷ୍ଣ ଦୋରା(୫୦) । ଶନିବାର ପୂର୍ବାହ୍ନ ପ୍ରାୟ ୧୦ ଟାରେ ଦିଗପହଣ୍ଡିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବସ୍ଟି ବେପରୱା ଭାବେ ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ଖବରପାଇ ଦିଗପହଣ୍ଡି ପୋଲିସ ଟିମ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ପୋଲିସ ଦୁର୍ଘଟଣା ଘଟାଇଥିବା ବସ୍କୁ ଜବତ କରି ଥାନାକୁ ନେଇଛନ୍ତି। ଏନେଇ ଥାନାରେ ମାମଲା ରୁଜୁ କରାଯାଇଛି। ହରିକୃଷ୍ଣଙ୍କ ସ୍ତ୍ରୀ, ଗୋଟିଏ ପୁଅ ଓ ଦୁଇ ଝିଅ ଅଛନ୍ତି। ଗରିବ ଶ୍ରେଣୀର ଅସହାୟ ହରିକୃଷ୍ଣ ଗତ କିଛିଦିନ ହେଲା ଦିଗପହଣ୍ଡି ଅଞ୍ଚଳରେ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଚଳୁଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ କହିଛି।