ଦାରିଙ୍ଗବାଡି,୧।୧୧(ଅରୁଣ ସାହୁ): କେନ୍ଦ୍ର ଓ ରାଜ୍ୟ ସରକାର ରୋଗୀଙ୍କ ସ୍ବାସ୍ଥ୍ୟରେ ସୁଧାର ଆଣିବା ଓ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକୁ ରୂପାନ୍ତର କରିବା ସହ ଆମ ସ୍ବାସ୍ଥ୍ୟକେନ୍ଦ୍ର ଭାବେ ଘୋଷଣା କରୁଛନ୍ତି। ତେବେ ଏହାର କୌଣସି ଫାଇଦା ମିଳୁ ନ ଥିବା ଓ ରୋଗୀ ଅନେକ ସମୟରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ରୋଗୀଙ୍କ ପାଇଁ ରହିଥିବା ଶଯ୍ୟା ଅଭାବରୁ ତଳେ ଗଡେଇ ଦିଆଯାଉଛି ଓ ତଳେ ରହି ଦୟନୀୟ ଅବସ୍ଥାରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ଯଦି ରୋଗୀ ନାପସନ୍ଦ କରନ୍ତି ବା ଗୁରୁତର ହେଲେ ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଧିକା ଚିକିତ୍ସା ପାଇଁ ପଠାଇଦିଆଯାଏ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ।
ପ୍ରକାଶ ଯେ, ଉକ୍ତ ବ୍ଲକରେ ମୋଟ ୨୫ ପଞ୍ଚାୟତ ରହିଛି ଏବେ ଉକ୍ତ ବ୍ଲକ ରେ ଜନସଂଖ୍ୟା ଯେଉଁଭଳି ବୃଦ୍ଧି ପାଉଛି। ସେହିପରି ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। କିନ୍ତୁ ଦୀର୍ଘ ବର୍ଷ ଧରି ରୋଗୀଙ୍କ ପାଇଁ ଯେଉଁ ୧୬ ଟି ଶଯ୍ୟାର ବ୍ୟବସ୍ଥା ରହିଥିଲା। ଆଜି ମଧ୍ୟ ସେହି ବ୍ୟବସ୍ଥା ମଧ୍ୟରେ ରହିଛି। ସ୍ବାସ୍ଥ୍ୟକେନ୍ଦ୍ରକୁ ରୂପାନ୍ତର କରାଯାଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ରୋଗୀଙ୍କୁ ଅନ୍ତଃ ବିଭାଗ ପରିସରରେ ସେହି ୧୬ ବିଶିଷ୍ଟ ଶଯ୍ୟା ରହିଥିବା ଜଣାପଡିଛି। ସ୍ଥାନୀୟ ଲୋକ ଏହି ଶଯ୍ୟା ବୃଦ୍ଧି କରିବା ସହ ଆବଶ୍ୟକ ଶିଶୁ ଓ ମହିଳା ବିଶେଷଜ୍ଞ ଡାକ୍ତର ସହ ଅନ୍ୟ ବିଶେଷଜ୍ଞ ପଦବୀ ପାଇଁ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ଫଳ ଶୂନ। ତେଣୁ ଏଥିପ୍ରତି ସରକାର ଗୁରୁତ୍ୱ ଦେଇ ରୋଗୀ ଶଯ୍ୟା ବୃଦ୍ଧି ସହ ବିଶେଷଜ୍ଞ ଡାକ୍ତର ପଦବୀ ପୁରଣ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି।
ଏନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ସାମନ୍ତରାୟଙ୍କ ସହ ଯୋଗଯୋଗ କରାଯିବାରୁ ଦାରିଙ୍ଗବାଡି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ବଡ଼ ସମସ୍ୟା ହେଉଛି। ରୋଗୀ ଶଯ୍ୟା ବୃଦ୍ଧି କରାଯିବା ପାଇଁ ଜିଲା ପ୍ରଶାସନ ପ୍ରୟାସ କରୁଥିବା ସେ ଶୁଣିଛନ୍ତି। ଏନେଇ ସେ କନ୍ଧମାଳ ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜିଲାପାଳଙ୍କୁ ରୋଗୀଶଯ୍ୟା ୧୬ ରୁ ୩୦ ଶଯ୍ୟାକୁ ବୃଦ୍ଧି ପାଇଁ ନିବେଦନ କରିଥିବା କହିଛନ୍ତି।