ଭଞ୍ଜନଗର,୨୪ା୯(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ୮ ବର୍ଷ ହେବ ଚାଲିଥିବା ଜାଇକା ପ୍ରକଳ୍ପର ବୁଧବାର ୨୦୨୪-୨୦୨୫ ଆର୍ଥିକ ବର୍ଷ ଉପରେ ଭଞ୍ଜନଗର ଟାଉନ ହଲ ପରିସରରେ ଏକ ସମୀକ୍ଷା ବୈଠକ ହୋଇଥିଲା। ସମୀକ୍ଷା ବେଳେ ଉପସ୍ଥିତ ଅଧିକାରୀମାନେ ଯୋଜନାର ସୁଫଳ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ବିଭିନ୍ନ ବିଭାଗ ସହ ସମନ୍ବୟ ରକ୍ଷା କରି ଲୋକଙ୍କ ଉନ୍ନତି ପାଇଁ ପଦକ୍ଷେପ ନେବାକୁ ସମୀକ୍ଷା ବେଳେ ଗୁରୁତ୍ୱାରୋପ କରାଯାଇଥିଲା। ଆଉ ୨ ବର୍ଷ ପରେ ଏହି ପ୍ରକଳ୍ପ ସରିବ। ଜାପାନ ସରକାରଙ୍କ ଋଣ ସହାୟତାରେ ଉକ୍ତ ପ୍ରକଳ୍ପ ରାଜ୍ୟର ଅନେକ ବନଖଣ୍ଡରେ କାର୍ଯ୍ୟକାରୀ ହେଉଛି। ପ୍ରକଳ୍ପର ନିର୍ଦ୍ଧାରିତ ଚୁକ୍ତି ଅବଧି ସରିବା ପୂର୍ବରୁ ସରକାର ପୁଣି ଥରେ ପ୍ରକଳ୍ପକୁ ଆଗକୁ ନେବାକୁ ଯୋଜନା କରୁଛନ୍ତି। ନୂତନ ବନୀକରଣ ସୃଷ୍ଟି କରିବା ଏବଂ ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ମୂଳ ଲକ୍ଷ୍ୟ ଥିବା ଏହି ପ୍ରକଳ୍ପ ଘୁମୁସର ଉତ୍ତର ବନଖଣ୍ଡରେ କାର୍ଯ୍ୟକାରୀ ହେବା ପରେ ବନଖଣ୍ଡର ଅନେକ ଲୋକଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆସିପାରିଛି ବୋଲି ଆଲୋଚନା ବେଳେ ମତ ପ୍ରକାଶ ପାଇଛି।
ଏଥିରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିପାସା ପାରୁଲ, ଫୁଲବାଣୀ ଡିଏଫଓ ପ୍ରତାପ କାଟପାଲି, ଜିବିକା ମିଶନ ପ୍ରକଳ୍ପ ପରିଚାଳକ, ସିଡିଭିଓ ଡା. ଅଞ୍ଜନା ଦାସ, ୱାଟରସେଡ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ ପଟ୍ଟନାୟକ, ଏଡିଏଓ ବ୍ୟୋମକେଶ ମିଶ୍ର, ଜିଲା ମତ୍ସ୍ୟ ଅଧିକାରୀ ଭାରତ ଭୂଷଣ ସାହୁ, ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଡେପୁଟି କଲେକ୍ଟର ସୁମନ ଘୋଷ, ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ସୁତନୁ ଶତପଥୀ, ଦମକଳ କେନ୍ଦ୍ର ଅଧିକାରୀ ଚକ୍ରଧର କହଁର, ଏସ୍ଆଇ ସମୀର ସେଠୀ, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ ଇତିଶ୍ରୀ ପ୍ରିୟଦର୍ଶନୀ ଉପସ୍ଥିତ ରହି ଆଲୋଚନା କରିଥିଲେ। ଏହି ଅବସରରେ ଅତିଥିମାନେ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ। ଏହି ଅବସରରେ ଶ୍ରେଷ୍ଠ କର୍ମଚାରୀ, ଭିଏସଏସଙ୍କୁ ପୁରସ୍କୃତ କରାଯାଇଥିଲା। ଏସିଏଫ ବିବେକ ଦାସ ଧନ୍ୟବାଦ ଦେଇଥିଲେ। ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ,କେନ୍ଦ୍ରୀୟ ରେଞ୍ଜର ପୃଥିବୀରାଜ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।