ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ମ୍ୟୁନିସିପାଲଟି ଅଧିନ ଶକ୍ତି ନଗରସ୍ଥିତ ନେହେରୁ ଆସୋସିଏସନ ସମ୍ମଖରେ ଜନସ୍ବାସ୍ଥ୍ୟ ବିଭାଗ (ପିଏଚଡ଼ି) ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟଜଳ ପାଇଁ ଉଦ୍ଦିଷ୍ଟ ପାଣି ପାଇପ ଫାଟି ଯାଇଛି। ଫଳରେ ପାନୀୟଜଳ ଦୂଷିତ ହେଉଥିବାବେଳେ ନିକଟସ୍ଥ ସମଲେଶରୀ ନର୍ସରୀ ଗଳି ରାସ୍ତାରେ ପାଣି ଅନବରତ ବହି ଚାଲିଛି। ତେବେ ଦୀର୍ଘଦିନ ହେଲା ଏଠାରେ ପାଣି ପାଇପ ଫାଟି ଥିବାବେଳେ ଏଥିପ୍ରତି ବିଭାଗୀୟ କର୍ମଚାରୀ ଆଖିବୁଜି ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପକ୍ଷରେ ପିଏଚଡି ପାନୀୟଜଳ ଯୋଗାଇ ଦେଇ ଆସୁଥିଲେ ସୁଦ୍ଧା ଏହାର ତୁରନ୍ତ ମରାମତି କରା ନ ଗଲେ ଆଗକୁ ଲୋକେ ଦୂଷିତ ପାଣି ଜନିତ ନାନା ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଦେଖାଦେଇଛି। ଫଳରେ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ତ୍ୱରିତ୍ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।