ଭବାନୀପାଟଣା,୬ା୮(ଉତ୍ତମ କୁମାର ଦାଶ):ରାଜ୍ୟରେ ୨୪ ବର୍ଷ ଶାସନ ପରେ ସରକାର ବଦଳିଛି। ପ୍ରଥମଥର ପାଇଁ ଶାସନକୁ ଆସିଛି ଭାଜପା ସରକାର। ହେଲେ କଳାହାଣ୍ଡି ଜିଲା ସ୍ବାସ୍ଥ୍ୟ ବିଭାଗର ଚିତ୍ର ପୂର୍ବରୁ ଯେମିତି ରହିଥିଲା ସେମିତି ରହିଥିବା ଦେଖିବାକୁ ମିଳୁଛି। ଉଦାହରଣ ଭାବେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇପାରେ। ଏବେ ମଧ୍ୟ ଏଠାରେ ଶଯ୍ୟା ଅଭାବରୁ ରୋଗୀଙ୍କୁ ବାରଣ୍ଡାରେ ଚିକିତ୍ସା କରାଯାଉଛି। ଏପରି କି ମେଡ଼ିକାଲ କର୍ତ୍ତୃପକ୍ଷ ସାଲାଇନ ଲଗାଇବାବେଳେ ଷ୍ଟାଣ୍ଡ ମଧ୍ୟ ଦେଉନାହାନ୍ତି। ଷ୍ଟାଣ୍ଡ ବଦଳରେ ସେଠାରେ ଥିବା ଷ୍ଟିଲ (ପାହାଚ) ସିଡ଼ିରେ ସାଲାଇନ ଲଟକାଇ ରୋଗୀଙ୍କୁ ଦିଆଯାଉଛି। ଏହି ଘଟଣା କେବଳ ଗୋଟିଏ ଦିନର ନୁହେଁ। ପ୍ରାୟ ସବୁଦିନ ଏଭଳି ଦୃଶ୍ୟ ଦେଖିବାକୁ ମିଳେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ବାରଣ୍ଡାରେ ଶୋଇଥିବା ରୋଗୀଙ୍କ ବେଡ୍ ସଂଖ୍ୟା ମଧ୍ୟ ହିସାବ କରାଯାଇଥାଏ ବୋଲି ଜଣାପଡିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ୩୩୦ ବେଡ୍ ରହିଥିବାବେଳେ ରୋଗୀ ଅଧିକ ଆସୁଥିବାରୁ ଏହି ସମସ୍ୟା ଦେଖାଦେଇଛି। ସେହିପରି ଜିଲାରେ ୬୦୬ଟି ଡାକ୍ତର ପଦବୀ ରହିଥିବାବେଳେ ବର୍ତ୍ତମାନ ମାତ୍ର ୧୯୫ ଡାକ୍ତର ଅଛନ୍ତି। ଅବଶିଷ୍ଟ ୪୧୧ ଡାକ୍ତର ପଦବୀ ଖାଲି ପଡ଼ିଛି। ଫଳରେ ଜିଲାରେ ସ୍ବାସ୍ଥ୍ୟ ସେବା କିପରି ପରିଚାଳନା କରାଯାଉଥିବ ତାହା ସହଜେ ଅନୁମେୟ। ଏ ନେଇ ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ନିହାର ରଞ୍ଜନ ପଣ୍ଡାଙ୍କୁ ପଚାରିବାରୁ ନୂତନ ଶହେ ଶଯ୍ୟା ବିଶିଷ୍ଟ କୋଠାର ବିଦ୍ୟୁତ କାମ ବାକି ରହିଛି। ଏହା ଶେଷ ହେଲେ ଏହି ସମସ୍ୟାର ସମାଧାନ ହେବ ବୋଲି କହିଥିଲେ। ସେହିପରି ନୂତନ ଡାକ୍ତର ପଦବୀ ପୂରଣ ହେଉନାହିଁ। ଯାହାଫଳରେ ପରିଚାଳନାରେ ସମସ୍ୟା ଦେଖାଯାଉଛି ବୋଲି କହିଥିଲେ।