ଝାଡ଼ାବାନ୍ତିରେ ଚାଲିଗଲା ଜଣଙ୍କର ଜୀବନ

ମାଥିଲି,୧୩ା୭(ସୁବାସ ଚନ୍ଦ୍ର ଖୁଡୁପିଆ): ମାଲକାନଗିରି ଜିଲା ମାଥିଲି ବ୍ଲକ କର୍ତ୍ତନପାଲି ପଞ୍ଚାୟତ କୋପ୍ରା ଗାଁ ମାଡିସାହିରେ ୧୭ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଥିରୁ ଗୁରୁତର ୪ଜଣଙ୍କୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଶନିବାର ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ନରସିଂହ ସମରଥ। ଅନ୍ୟ ୫ଜଣ ଗାଁରେ ଡାକ୍ତରୀ ଟିମ୍‌ ଦ୍ୱାରା ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ମାଥିଲି ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ଅମିୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଜିଲାସ୍ତରୀୟ ଏକ ସ୍ବତନ୍ତ୍ର ଟିମ୍‌ରେ ଜନସ୍ବାସ୍ଥ୍ୟ ଅଧିକାରୀ ଏ. ହୁସେନ, ଡାକ୍ତର ଦୁର୍ଗାପ୍ରସାଦ ରାଜ ଓ ଅନ୍ୟମାନେ ଗାଁରେ ପହଞ୍ଚି କେଉଁ କାରଣରୁ ଝାଡ଼ାବାନ୍ତି ବ୍ୟାପୁଛି ସେ ନେଇ ଅନୁସନ୍ଧାନ କରୁଛନ୍ତି। ତେବେ ପ୍ରାଥମିକ ତଦନ୍ତ ଅନୁଯାୟୀ ବିଷାକ୍ତ ଛତୁ କିମ୍ବା ଦୂଷିତ ପାଣି ବ୍ୟବହାର ଯୋଗୁ ଝାଡ଼ାବାନ୍ତି ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି l ତଥାପି ନଳକୂଅଗୁଡ଼ିକର ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ଏହାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ମାଥିଲି ଉପଖଣ୍ଡ ଚିକିତ୍ସାଧିକାରୀ ଡା.ସ୍ବାଇଁ ସୂଚନା ଦେଇଛନ୍ତି।

Share
Tags: dead