ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର ତାମିଲିଗୁଡା ନିକଟରେ କୁଲକା ରାମୁଲୁ (ବୟସ ପ୍ରାୟ ୬୦-୬୫ ବର୍ଷ)ଙ୍କ ମୃତ୍ୟୁ ଘଟିଛି। ସେ ଜଗନ୍ନାଥପୁର ଗ୍ରାମର ସୌରା ସାହିର ବାସିନ୍ଦା । ସ୍ଥାନୀୟ ଯୁବକମାନେ ଜଣେ ବ୍ୟକ୍ତି ପଡିରହିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ। ଖବରପାଇ ଗୁଣୁପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ପରିବାର ଲୋକଙ୍କ କହିବା ଅନୁଯାୟୀ, କୌଣସି କାମ ସକାଶେ ସେ ବିଲକୁ ଯାଇଥିବା ବେଳେ ପ୍ରବଳ ଖରା ପ୍ରଭାବରେ ଅଂଶୁଘାତରେ ତାଙ୍କ ମୃତ୍ୟୁ ଘଟିଛି। ସେ ଡାଇବେଟିସ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ। ଏହି ଘଟଣା ପରେ ଆଗାମୀ ଦିନରେ ବୟସ୍କ ଓ ବୃଦ୍ଧ ଲୋକମାନେ ଅଧିକ ସଚେତନ ଓ ସତର୍କ ରହିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ସେପରି ସ୍ଥିତିରେ ସରକାର ପକ୍ଷରୁ ଶୀଘ୍ର ସତର୍କତାମୂଳକ ବାର୍ତ୍ତା ଜାରି କରିବାକୁ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକାଶ ପାଇଛି।