ଶୌଚ ପାଇଁ ଯାଇଥିବାବେଳେ ପୋଖରୀରେ ବୁଡ଼ିଗଲେ ବ୍ୟକ୍ତି

ଦିଗପହଣ୍ଡି,୨୮ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସ୍‌ଷ୍ଟାଣ୍ଡ ନିକଟ ବିଶ୍ୱାସରାୟ ବନ୍ଧ ପୋଖରୀରୁ ଶୁକ୍ରବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ଦିଗପହଣ୍ଡି ବଡ଼ ବନ୍ଧସାହିର ଲିକା ସାହୁ ଓରଫ ନିକା(୫୦)। ସେ ବ୍ରହ୍ମପୁରର ବିଭିନ୍ନ ହୋଟେଲରେ ରୋଷେୟା ଭାବେ କାମ କରୁଥିବା ବେଳେ ଅସୁସ୍ଥତା କାରଣରୁ ଦିଗପହଣ୍ଡି ଆସି ବିଭିନ୍ନ ଲୋକଙ୍କଠାରୁ ମାଗି ଯାଚି ଚଳୁଥିଲେ। ଆର୍ଥିକ ଅନଟନ କାରଣରୁ ତାଙ୍କ ସ୍ତ୍ରୀ ବ୍ରହ୍ମପୁର ବାପ ଘରେ ରହୁଛନ୍ତି। ଗୁରୁବାର ରାତିରେ ସେ ଶୌଚ ପାଇଁ ପୋଖରୀକୁ ଯାଇଥିବା ବେଳେ ଅସାବଧାନତା କାରଣରୁ ପୋଖରୀ ପାଣିରେ ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ଦିଗପହଣ୍ଡି ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଥାନା ଅପମୃତ୍ୟୁ ମାମଲା ନଂ.୫/୨୫ ଅନୁଯାୟୀ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Share