ପାପଡାହାଣ୍ଡି,୧୫।୧(ସ୍ବପ୍ନଜିତ ପଟ୍ଟନାୟକ) : ନବରଙ୍ଗପୁର ଜିଲା ପାପଡାହାଣ୍ଡି ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଏକ ପାଇପ ବୋଝେଇ ଟ୍ରକ ଓ ବସ୍ ମଧ୍ୟରେ ଧକ୍କା ହୋଇ ୪ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନାମୁତାବକ ଡେଜି ନାମକ ଘରୋଇ ବସ୍ ନମ୍ବର OD 15 J 7595ଟି ସମ୍ବଲପୁରରୁ ଦାମନଯୋଡି ଆସିବା ସମୟରେ ବିପରୀତ ଦିଗରୁ କର୍ନାଟକରୁ ରାୟଗଡା ଯାଉଥିବା ପାଇପ ବୋଝେଇ ଟ୍ରକ ନମ୍ବର AP 16 TY 6954 ସହ ଧକ୍କା ହୋଇଥିଲା। ବସ୍ଟି ଧକ୍କା ହୋଇ ରାସ୍ତା କଡ଼ ଖାତକୁ ଖସି ଓଲଟି ପଡିଥିଲା। ଏଥିରେ ବସ୍ର ଗୀତା ଭତରା, ବାସନ୍ତି ସେନାପତି, ଅନନ୍ତ ସେନାପତି ଓ ଦିପେନ୍ଦ୍ର ବେହେରା ଆହତ ହୋଇଛନ୍ତି। ଖବରପାଇ ପାପଡାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଜାତୀୟ ରାଜପଥ ଉପରେ ପାଇପ ଗୁଡିକ ପଡିରହିଛି । ପାଇପ ବୋଝେଇ ଟ୍ରକର ପାର୍ଶ୍ୱରେ ବସ୍ ଧକ୍କା ଦେବା ଯୋଗୁ ପାଇପରେ ବନ୍ଧା ଯାଇଥିବା ବେଲ୍ଟ ଛିଡି ଯିବା ଯୋଗୁ ପାଇପଗୁଡିକ ଖସି ପଡ଼ିଛି। ବସ୍ ଡ୍ରାଇଭର ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତା କଡ଼ ଜମି ଭିତରେ ଥିବା ଖାଲରେ ଓଲଟି ପଡ଼ିଥିଲା। ବସ୍ରେ ୨୬ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡିଛି।