ବଟେଶ୍ୱର ପୀଠକୁ ୪୦ ଫୁଟର ନୂଆ ରାସ୍ତା, ଏଣିକି ରହିବନି…

ଗଞ୍ଜାମ,୨୨ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ଜିଲା ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ପୀଠକୁ ପର୍ଯ୍ୟଟକଙ୍କ ଭିଡ଼ ପ୍ରବଳ ହୋଇଥାଏ। ବିଶେଷକରି କାର୍ତ୍ତିକ ମାସ ସୋମବାର ଓ କାର୍ତ୍ତିକ ପୂର୍ଣ୍ଣିମାରେ ବାଲିଯାତ୍ରା ଯାତ୍ରା ପାଇଁ ପ୍ରବଳ ଭିଡ଼ ହୋଇଥାଏ। ସେହି ଭିଡ଼କୁ ଦୃଷ୍ଟିରେ ରଖି ବଟେଶ୍ୱର ଐତିହ୍ୟ ସଂରକ୍ଷଣ କମିଟି ପକ୍ଷରୁ ୬ ଖଣ୍ଡ ଗ୍ରାମର ସହାୟତାରେ ଏକ ୪୦ ଫୁଟ ଚଉଡ଼ା ରାସ୍ତା କଣ୍ଟିଆଗଡ଼ ଶ୍ମଶାନଠାରୁ ପାର୍କିଂସ୍ଥଳ ପର୍ଯ୍ୟନ୍ତ କରାଯାଇଛି। ଯାହା ଫଳରେ ଆସୁଥିବା ଭକ୍ତମାନେ ନୂତନ ରାସ୍ତାରେ ମନ୍ଦିରକୁ ଯିବେ ଏବଂ ପୁରୁଣା ରାସ୍ତାରେ ଦର୍ଶନ ସାରି ଫରିବେ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଏହାକୁ ନେଇ ପୂର୍ବରୁ ଯେଉଁ ଅସୁବିଧା ସୃଷ୍ଟି ହେଉଥିଲା ତାହା ଦୂର ହୋଇଛି।

ପ୍ରକାଶ ଯୋଗ୍ୟ, ଏହି ଶୈବପୀଠଠାରୁ କିଛି ଦୂରରେ ବଙ୍ଗୋପସାଗର ବେଳାଭୂମି ଅବସ୍ଥିତ। ବେଳାଭୂମିରେ ବୁଲିବା ସହ ସମୁଦ୍ରରେ ବୁଡ଼ି ମଜା ନିଅନ୍ତି ପର୍ଯ୍ୟଟକ। ଏଥିସହ କଲ୍ୟାଣ ମଣ୍ଡପ, ଅତ୍ୟାଧୁନିକ ଶୌଚାଳୟ ସାଙ୍ଗକୁ ପିଲାଙ୍କ ପାଇଁ ମନୋରମ ଶିଶୁ ପାର୍କ ଆଦି ବ୍ୟବସ୍ଥା ରହିଛି। ଏଣୁ ବର୍ଷ ତମାମ ଭକ୍ତଙ୍କ ଏଠାରେ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି।

Dharitri – The Largest & Most Trusted Odia Daily