ବଲାଙ୍ଗୀର,୬।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବସ୍ ଟର୍ମିନାଲ ସମ୍ମୁଖରେ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିରେ ରେଜିଷ୍ଟେଶନ ହୋଇଥିବା ସୁଲଭ ଶୌଚାଳୟର ସେପଟି ଟାଙ୍କି ଗାଡି ମାଡ଼ି ଯାଇଥିଲା। ଡ୍ରାଇଭର ଜଣଙ୍କ ମୋବାଇଲ ଫୋନରେ କଥା ହୋଇ ବେପରୁଆ ଗାଡି ଚାଳନାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଅନ୍ୟପଟେ ଘଟଣାସ୍ଥଳରେ ଉପସ୍ଥିତି ଥିବା ଲୋକେ ପୋଲିସକୁ ଅଭିଯୋଗ କରିଛନ୍ତି । ଡ୍ରାଇଭର ଜଣଙ୍କ ମୋବାଇଲରେ ଗେମ୍ ଖେଳି ଖେଳି ଗାଡି ସ୍ପିଡରେ ଚଳାଉଥିଲେ। ଏହି ଦୁର୍ଘଟଣାରେ ଫଳ ଦୋକାନୀଙ୍କ ୫୦ ହଜାରରୁ ଉଦ୍ଧର୍ବ ଟଙ୍କାର ଫଳ, ଦୁଇଟି ବାଇକ ଏବଂ ଅନ୍ୟ ସାମଗ୍ରୀ ନଷ୍ଟ ହୋଇଛି। ଫଳ ଦୋକାନୀ, ବାଇକ ଆରୋହୀ ଓ ଫଳକ୍ରେତାମାନେ ଅଳ୍ପକେ ବର୍ତ୍ତିଛନ୍ତି। ସେଠାରେ ଥିବା ଲୋକେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରଙ୍କୁ କାବୁ କରି ଗୋଟାଏ ଘରେ ରଖିଥିଲେ। ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଟାଉନ ପୋଲିସ ପହଞ୍ଚିବା ପରେ କ୍ଷତି ହୋଇଥିବା ଫଳ ବେପାରୀ ଓ ଗାଡି, ସାଇକେଲର କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଟାଉନ ଥାନା ଅଧିକାରୀ ଅବନୀ ସାହୁ ପହଞ୍ଚି ଳୋକଙ୍କୁ ବୁଝାସୁଝା କରିବା ସହ ତାର ସମାଧାନ କରାଯିବ ବୋଲି କହିବା ପରେ ଡ୍ରାଇଭରକୁ ପୋଲିସର ଜିମା ଦେଇଥିବା ଜଣାପଡ଼ିଛି। ପୋଲିସ ଡ୍ରାଇଭରକୁ ଟାଉନ ଥାନାକୁ ଆଣି ପଚରାଉଚୁରା କରୁଥିବା ଜଣାପଡିଛି । ଡ୍ରାଇଭର ଜଣକ ଅଣ ଓଡ଼ିଆ ହୋଇଥିବା ବେଳେ ତାଙ୍କର ନାମ ଅଭିଷେକ ରାମ ବୋଲି ଜଣାପଡିଛି।