ରାଇସ ମିଲକୁ କାମ କରିବାକୁ ଯାଇଥିଲେ, ହଠାତ୍‌ ଅସୁସ୍ଥ ହୋଇପଡିଲା ଦେହ, ତା’ପରେ…

ଭବାନୀପାଟଣା,୬।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଏସ .କୁଣ୍ଡାମାଲ ସ୍ଥିତ ଗଣପତି ଏଗ୍ରୋ ରାଇସ ମିଲରେ କାର୍ଯ୍ୟରତ ଜଣେ ବ୍ୟକ୍ତିଙ୍କ ରବିବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ଦୁଃଖହରି ମେହେର (୪୦) । ସେ ବଳଦିଆମାଲ ନେହେରୁ ନଗର ପଡାର ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ,ପ୍ରତିଦିନ ଭଳି ଦୁଖଃହରି ରାଇସ ମିଲକୁ କାମ କରିବାକୁ ଯାଇଥିଲେ। ହେଲେ ଅପରାହ୍ନରେ ତାଙ୍କ ଦେହ ଅସୁସ୍ଥ ହେବାରୁ ଜୁନାଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷିତ କରିଥିଲେ। ଏ ନେଇ ମୃତକଙ୍କ ସ୍ତ୍ରୀ ଗୀତାଞ୍ଜଳୀ ମେହେର ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେ ତାଙ୍କ ସ୍ବାମୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ସୋମବାର ସକାଳରେ ଜୁନାଗଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଏ ନେଇ ଜୁନାଗଡ଼ ଥାନାରେ ଏକ ଅପମୃତ୍ୟୁ ମାମଲା ନଂ(୨୪/୨୦୨୫)ରୁଜୁ ହୋଇଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯୁବକଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଜଣାପଡ଼ିବ ବୋଲି ପୋଲିସ ଠାରୁ ସୂଚନା ମିଳିଛି।