ନାବାଳିକାଙ୍କୁ ବଳାତ୍କାର କରି ଥିଲେ ଫେରାର: ଚେନ୍ନାଇରେ ମାଡ଼ିବସିଲା ପୋଲିସ

ଦେବଗଡ,୧୮।୭(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୬ ବର୍ଷର ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ଫେରାର ଥିବା ଜଣେ ଯୁବକଙ୍କୁ ଗୁରୁବାର ବାରକୋଟ ଥାନା ପୋଲିସ ଚେନ୍ନାଇରୁ ଗିରଫ କରିଛି । ଗିରଫ ଯୁବକ ଜଣକ ଅନୁଗୋଳ ଜିଲା ପାଲଲହଡା ଥାନା ଡିମିରିଆ ଗ୍ରାମର ଉମାକାନ୍ତ ନାୟକ(୨୪) ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ବାରକୋଟ ଥାନାଂଚଳର ଜଣେ ନାବାଳିକା ଜଣକ ଗତ ମାର୍ଚ୍ଚ ୧୭ ତାରିଖ ଦିନ ବାରକୋଟ ବ୍ଲକ ସଦର ମହକୁମାସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆକୁ ଯାଉଛି କହି ଘରୁ ବାହାରିଥିଲେ । ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ । ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ବିଫଳ ହେବାରୁ ତାଙ୍କ ମା’ଏନେଇ ବାରକୋଟ ଥାନାରେ ଏକ ନିଖୋଜ ଏତଲା ପ୍ରଦାନ କରିଥିଲେ । ଗତ ମାର୍ଚ୍ଚ ୧୯ ତାରିଖ ଦିନ ବାରକୋଟ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଉକ୍ତ ନାବାଳିକାଙ୍କୁ ଉମାକାନ୍ତ ଅପହରଣ କରିନେଇଥିବା ଜଣାପଡିଥିଲା।

ଘଟଣାର କିଛି ଦିନ ପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲେ ହେଁ ଅଭିଯୁକ୍ତ ଉମାକାନ୍ତ ଫେରାର ହୋଇଯାଇଥିବାରୁ ତାକୁ ଗିରଫ କରାଯାଇପାରି ନ ଥିଲା । ନାବାଳିକାଙ୍କୁ ପଚରା ଉଚୁରା ବେଳେ ଉମାକାନ୍ତ ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅପହରଣ କରିନେବା ସହି ତାଙ୍କ ଅନିଚ୍ଛା ସତ୍ତ୍ୱେ ବଳାତ୍କାର କରିଥିବା ସେ ପୋଲିସ ସମ୍ମୁଖରେ ପ୍ରକାଶ କରିଥିଲେ । ଫଳରେ ପୋଲିସ ଉମାକାନ୍ତ ବିରୁଦ୍ଧରେ ପକ୍ସୋ ସମେତ ବିଏନଏସ ରଦଫା ୧୩୭ (୨), ୮୭, ୬୪ (୨) (ଏମ) ରେ ଏକ ମାମଲା ଋଜୁ କରିବାସହ ତାକୁ ବିଭିନ୍ନ ସ୍ଥାନରେ ଖୋଜୁଥିଲା । ଶେଷରେ ଅଭିଯୁକ୍ତ ଉମାକାନ୍ତ ଚେନ୍ନାଇରେ ଥିବା ଜଣାପଡିବାରୁ ବାରକୋଟ ଥାନା ଅଧିକାରୀଣି ମମତା ପାଣିଗ୍ରାହୀଙ୍କ ନିର୍ଦ୍ଦେଶରେ ଗଠିତ ଏକ ଟିମ ଚେନ୍ନାଇରୁ ଉମାକାନ୍ତଙ୍କୁ ଗିରଫ କରିବାସହ ତାକୁ କୋର୍ଟଚାଲାଣ କରିଥିଲା । ମାତ୍ର ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।