ବିବାହ ପ୍ରସ୍ତାବ ଦେଖିବାକୁ ଆସି ଯୁବତୀଙ୍କ ଗଳାକାଟି ଯୁବକ ଗିରଫ

ରାଜକନିକା,୧୨ା୧୦(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅନ୍ତର୍ଗତ ଜୟନଗର ପଞ୍ଚାୟତ କୁଜିପୁରୁ ଗଁାର ସୁଶାନ୍ତ କିଶୋର ଦାସଙ୍କ ଭାଣିଜୀ ପ୍ରିୟଙ୍କା ଦାସ(୨୦)ଙ୍କୁ ଗାରଡ଼ପୁର ଗଁାର ସୁବ୍ରତ ନାୟକ(୨୬) ଓ ତାଙ୍କ ମା’ ମନୋରମା ନାୟକ ଶନିବାର ବିବାହ ପ୍ରସ୍ତାବ ନେଇ ଦେଖିବାକୁ ଆସିଥିଲେ। ସେଠାରେ ଦେଖାଚାହଁା ଚାଲିଥିଲା। ପରେ ପୁଅ ସୁବ୍ରତ ଝିଅ ପ୍ରିୟଙ୍କା ସହ କିଛି କଥା ହେବା ଲାଗି କହିଥିଲେ। ଉଭୟ ଏକ କୋଠରିକୁ କଥା ହେବାକୁ ଯାଇଥିଲେ। ହେଲେ ସୁବ୍ରତ ଘର କବାଟ ବନ୍ଦକରି ଝିଅ ପ୍ରିୟଙ୍କାଙ୍କୁ ଏକ ଛୁରିରେ ଆକ୍ରମଣ କରି ଗଳାର ଦୁଇ ଜାଗାକୁ କାଟି ଦେଇଥିଲେ। ଝିଅର ଚିତ୍କାର ଶୁଣି ପରିବାର ଲୋକ କବାଟ ଭାଙ୍ଗି ଉଦ୍ଧାର କରିଥିଲେ। ଏହା ଜଣାପଡ଼ିବା ପରେ ଗଁା ଲୋକମାନେ ଜମା ହୋଇ ସୁବ୍ରତଙ୍କୁ କାବୁକରି ଏକ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ସୁବ୍ରତଙ୍କୁ ଥାନାକୁ ଆଣିଥିଲା। ପ୍ରିୟଙ୍କାଙ୍କୁ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ସେଠାରେ ଚିକିତ୍ସା କରାଇ ଥାନାରେ ପ୍ରିୟଙ୍କାଙ୍କ ମାମୁ ସୁଶାନ୍ତ କିଶୋର ଦାସ ଅଭିଯୋଗ କରିଥିଲେ। ପୋଲିସ ନଂ: ୫୧୪/୨୫ରେ ମାମଲା ରୁଜୁ କରି ସୁବ୍ରତଙ୍କୁ ଗିରଫକରି ତଦନ୍ତ ଚଳାଇ ଥିବା ଥାନା ଅଧିକାରୀ ସଞ୍ଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ଏ ନେଇ ଉଭୟ ଝିଅ ଓ ପୁଅଙ୍କ ମଧ୍ୟରେ ବିବାହ ଲାଗି ନିଷ୍ପତ୍ତି ସହ ଦେଖାସାକ୍ଷାତ ଶେଷ ହୋଇଥିଲା। ଶନିବାର ପୁନର୍ବାର ସୁବ୍ରତ ଏବଂ ତାଙ୍କ ମା’ ମନୋରମା ଝିଅ ପ୍ରିୟଙ୍କାଙ୍କୁ ଦେଖିବାକୁ ଆସି ଏଭଳି ଘଟଣା ଘଟିଛି। କିନ୍ତୁ ଆକ୍ରମଣର କାରଣ ଜଣାପଡ଼ି ନାହିଁ।

Dharitri – Odisha’s No.1 Trusted Odia Daily