ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ମୁଖା ପିନ୍ଧା ଯୁବକ: ସ୍ବାମୀଙ୍କୁ ଲାତ ମାରି…

ଝାରସୁଗୁଡା,୨୧।୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ସରବାହାଲ ତଳିପଡାଠାରେ ଭଡା ରହୁଥିବା ଧୀରେନ୍ଦ୍ର ମହାରଣାଙ୍କ ଘରକୁ ଶୁକ୍ରବାର ରାତିରେ ଜଣେ ଯୁବକ ମୁଖା ପିନ୍ଧି ଏକ ବାଇକରେ ଆସିଥିଲେ। ଏହି ସମୟରେ ଧୀରେନ୍ଦ୍ର ବାହାରୁ ଘର ଭିତରକୁ ପ୍ରବେଶ କରି ରୋଷେଇ ଘରକୁ ପାଣି ପିଇବା ପାଇଁ ଯାଇଥିଲେ। ଧୀରେନ୍ଦ୍ରଙ୍କ ପତ୍ନୀ ବିଶ୍ୱ ବିଜୟିନୀ ଜେନା(୩୦) ସୋଫାରେ ବସିଥିବାବେଳେ ଯୁବକ ଜଣକ ଘର ଭିତରକୁ ପଶି ଧୀରେନ୍ଦ୍ରଙ୍କ ପତ୍ନୀ ବିଶ୍ୱ ବିଜୟିନୀଙ୍କୁ ଦୁଇଟି ଗୁଳି ମାରିଥିବାବେଳେ ଗୋଟିଏ ଗୁଳି ମିସ ହୋଇ ଯାଇଥିବାବେଳେ ଦ୍ୱିତୀୟ ଗୁଳିଟି ବିଶ୍ୱ ବିଜୟିନୀଙ୍କ ଜଙ୍ଘରେ ବାଜିଥିଲା। ଏହା ପରେ ଧୀରେନ୍ଦ୍ରଙ୍କୁ ମଧ୍ୟ ଗୁଳି ମାରିବା ପାଇଁ ପ୍ରୟାସ କରୁଥିବାବେଳେ ଧୀରେନ୍ଦ୍ର ଭୟରେ ତଳେ ପଡି ଯାଇଥିଲେ। ଫଳରେ ଧୀରେନ୍ଦ୍ର ଦୁଇ ଲାତ ମାରି ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ବିଶ୍ୱ ବିଜୟିନୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଲୟକୁ ନିଆଯାଇଥଲା ଓ ପରେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
ଧୀରେନ୍ଦ୍ରଙ୍କ ନିଜ ଘର ସମ୍ବଲପୁର ଅଂଚଳର ହୋଇଥିବାବେଳେ ଝାରସୁଗୁଡାରେ ଟ୍ରାନ୍ସପୋର୍ଟ କାମ କରୁଥିବା ଜଣାପଡିଛି। ଶନିବାର ସକାଳେ ଝାରସୁଗୁଡା ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବାବେଳେ ଏସଡିପିଓ ଉମାଶଙ୍କର ସିଂ, ସାଇଣ୍ଟିଫିକ ଟିମ ଓ ଡ୍ରଗ୍ସ ସ୍କ୍ବାର୍ଡ ମଧ୍ୟ ଘଟଣାସ୍ଥଳ ତଦନ୍ତ ଚଳାଇଛନ୍ତି । ଏସପି ରାଘବେନ୍ଦ୍ର ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 

Share