ମୋହନା,୧୫ା୧(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ପୋଲିସ ଗୁରୁବାର ମଧ୍ୟାହ୍ନରେ ଅପରାଧୀମାନଙ୍କ ଏକ ବଡଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଦେଇଛି। ଏଥିରେ ସମ୍ପୃକ୍ତ ୭ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଚିକୁ ବିଷୋୟୀ(୨୬),ଜିଗର ନାୟକ(୨୫), ସାଗର ନାୟକ(୧୯),ଲିକୁନୁ ସେଠୀ(୨୪), ମିଲନ ଦୋରା(୨୫), ମିଥୁନ ନାୟକ (୨୬) ଓ ସିଦ୍ଧାନ୍ତ ସାମଲ(୨୩)। କେସ୍ ନଂ. ୨୨/୨୬ରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି।
ଖବରରୁ ପ୍ରକାଶ, ଡକାୟତି କରିବାକୁ ଗଞ୍ଜାମ ଓ ବରଗଡ଼ରୁ କେତେ ଜଣ ଅପରାଧୀ ଯାଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ରାସ୍ତାରେ ଗାଡ଼ିମୋଟର ଯାଞ୍ଚ କରିଥିଲା। ଏହି ସମୟରେ ଏକ କାର (ଓଡି୦୨ସିପି-୧୬୪୧)କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ସେଥିରୁ ଗୋଟିଏ ପିସ୍ତଲ, ୩ଟି ଜୀବନ୍ତ ଗୁଳି, ମାରଣାସ୍ତ୍ର, ୬ଟି ମୋବାଇଲ ପୋଲିସ ଜବତ କରି ଉପରୋକ୍ତ ୭ଜଣଙ୍କୁ ଗିରଫ କରି ଆଣିଥିଲା। ସେମାନେ ଗଞ୍ଜାମ ଜିଲା ପାଟପୁର ଓ ବଡ଼ଗଡ଼ ଥାନା ଅଞ୍ଚଳର ହୋଇଥିବା ବେଳେ ପେସାଦାର ଅପରାଧୀ ବୋଲି ଜଣାପଡିଛି। ଏହି ଅପରାଧୀମାନେ ଅପରାଧ ଘଟାଇବା ପାଇଁ ଗଞ୍ଜାମ ଜିଲାରୁ ଗୁଣପୁର ଅଞ୍ଚଳକୁ ଯାଉଥିଲେ। ଏ ସମ୍ପର୍କରେ ସୂଚନା ପାଇ ଅଡବା ପୋଲିସ ଗାଡ଼ିମୋଟର ଧରପଗଡ କରି ସେମାନଙ୍କୁ ଧରିଥିଲା। ଗୁଣପୁର ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି କରିବାକୁ ସେମାନେ ଯାଉଥିଲେ ବୋଲି ପଚରାଉଚରା ବେଳେ ସ୍ବୀକାର କରିଛନ୍ତି। ଗିରଫ ଅଭିଯୁକ୍ତମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି। ଏହାର ଅଧିକ ତଦନ୍ତ ଜାରି ରହିଛି। ସବିଶେଷ ତଥ୍ୟ ମିଳିବା ପରେ ପ୍ରକୃତରହସ୍ୟ ଜଣାପଡିବ ବୋଲି ଆର. ଉଦୟଗିରି ଏସ୍ଡିପିଓ ରାକେଶ ସାହୁ କହିଛନ୍ତି।