ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ ଉଭାନ ହୋଇଯାଇଥାଏ। ଇରାନ୍ ସେହି କଥାକୁ ଏବେ ପ୍ରମାଣିତ କରିଦେଇଛି। ଇସ୍ରାଏଲ ଓ ଆମେରିକା ବିରୋଧରେ ଇରାନ୍ର ଲଢ଼େଇ ବର୍ତ୍ତମାନ ସେହି ତିନୋଟି ଦେଶ ମଧ୍ୟରେ ରହିନାହିଁ। ଏଭଳି ଯୁଦ୍ଧ କେବଳ ଇସ୍ଲାମୀୟ ଧର୍ମାବଲମ୍ବୀଙ୍କ ଦ୍ୱାରା ହୋଇପାରିବା କହିବା ଅନୁଚିତ ହେବ। ଧର୍ମର ଭୂମିକା ନିଶ୍ଚିତ ଭାବେ ରହିଛି। ତତ୍ସହିତ ଇରାନ୍ର ନେତୃତ୍ୱ କୌଣସି ବ୍ୟକ୍ତିବିଶେଷ ହାତରେ ରହିବା ପରିବର୍ତ୍ତେ ସାଧାରଣ ଲୋକଙ୍କ ପାଖକୁ ଚାଲିଗଲାଣି। ଇସ୍ଲାମିକ୍ ରିଭୋଲ୍ୟୁଶନାରୀ ଗାର୍ଡ କର୍(ଆଇଆର୍ଜିସି)ର ପ୍ରତ୍ୟେକ ସୈନ୍ୟ ଏବେ ସ୍ବାଧୀନ ଭାବେ ଲଢ଼ିବାର ପରିିସ୍ଥିତିକୁ ପହଞ୍ଚିଗଲେଣି, ଯେଉଁଥିରେ ଅନ୍ୟ ଦେଶ ଯଥା-ଆମେରିକା ମୋଟାସୋଟା ଜାହାଜ, ବୁଡ଼ାଜାହାଜ ଓ ମିଶାଇଲ ରଖିଥିବା ସତ୍ତ୍ୱେ ମଧ୍ୟମଧରଣର ସାମରିକ ଶକ୍ତିକୁ ପାରିବା କାଠିକର ପାଠ ହେଉଛି।
ଇରାନ୍ ଯୁଦ୍ଧ ଏକ ମାସ ଟପିଗଲାଣି। ଇସ୍ରାଏଲ ଓ ଆମେରିକା ଥକିଯିବା ଭଳି ମନେ ହେଉଥିବା ବେଳେ ଇରାନ୍ର ମାଡ଼ କରିବାର ଶକ୍ତି ଅସରନ୍ତି ବୋଲି ବୁଝାପଡୁଛି। ଏହାର ଦୃଷ୍ଟାନ୍ତ ଏପ୍ରିଲ ୪ ତାରିଖରେ ଦେଖିବାକୁ ମିଳିଲା, ଯେତେବେଳେ ଆମେରିକାର ଅତ୍ୟାଧୁନିକ ଶକ୍ତିଶାଳୀ ଯୁଦ୍ଧବିମାନ ଏଫ୍-୧୫ଇ ଷ୍ଟ୍ରାଇକ୍ ଇଗଲ ଏବଂ ଏ-୧୦ ଓ୍ବାଟ୍ହଗ୍କୁ ଇରାନ୍ ମାରି ଖସାଇଦେଲା। ଏପରିକି ୨ ଯୁଦ୍ଧବିମାନର ବିମାନ କର୍ମଚାରୀଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ୨ଟି ‘ବ୍ଲାକ୍ ହକ୍’ ହେଲିକପ୍ଟର ମଧ୍ୟ ଇରାନ୍ ଆକ୍ରମଣର ଶିକାର ହେଲା। ଯୁଦ୍ଧବିମାନ ଏଫ୍-୧୫ଇ ଷ୍ଟ୍ରାଇକ୍ ଇଗଲର ଦୁଇ ପାଇଲଟଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ କୁହାଯାଉଛି ଆଉ ଜଣେ ଇରାନ୍ ସାମରିକ ବାହିନୀ ଅକ୍ତିଆରରେ ଅଛି। ବିଶ୍ୱସ୍ତରରେ ସବୁଠାରୁ ଶକ୍ତିଶାଳୀ ବୋଲାଇ ଆସୁଥିବା ଆମେରିକା ଏଫ୍-୧୫ଇ ଷ୍ଟ୍ରାଇକ୍ ଇଗଲକୁ ନେଇ ବଡ଼ ଆସ୍ପର୍ଦ୍ଧା ଦେଖାଇଥାଏ। କାରଣ ଡୁଆଲ୍ ରୋଲ୍ ଫାଇଟର ଭାବେ ଏହା ଆକାଶରୁ ଆକାଶ ଏବଂ ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ଶତ୍ରୁ ପକ୍ଷର ବ୍ୟାପକ କ୍ଷତି ଘଟାଇବାର କ୍ଷମତା ରଖିଥାଏ। ପ୍ରାୟ ୧୦୦ ମିଲିୟନ୍ ଡଲାରର ଏହି ଯୁଦ୍ଧ ବିମାନ ଷ୍ଟେଲ୍ଥ ହୋଇଥିବାରୁ ରାଡାର ଦ୍ୱାରା ଚିହ୍ନଟ ହୋଇପାରିବ ନାହିଁ ବୋଲି ବିଶ୍ୱସ୍ତରରେ ସାମରିକ ବିଶେଷଜ୍ଞମାନେ ଭାବୁଥିଲେ। ଅନ୍ୟପକ୍ଷରେ ନିଜର ସାମରିକ କ୍ଷମତାକୁ ସର୍ବସମ୍ମୁଖରେ ଦେଖେଇ ନ ହୋଇ ଇରାନ୍ ବାସ୍ତବ ସମୟରେ ଆମେରିକା ଓ ଇସ୍ରାଏଲକୁ କଡ଼ା ଜବାବ ଦେବା ଅନ୍ତର୍ଜାତୀୟ ସ୍ତରରେ ଚହଳ ପକାଇ ଦେଇଛି।
ବିଶ୍ୱ ପରିସ୍ଥିତି ଏବେ ବଦଳିବାରେ ଲାଗିଛି। ପୂର୍ବରୁ, ଆମେରିକା ଯଦି କୌଣସି ଅଶାନ୍ତ ଅଞ୍ଚଳରେ ପ୍ରବେଶ କରୁଥିଲା ତେବେ ବିପକ୍ଷରେ ଥିବା ସବୁ ଦେଶ ଏବଂ ଗୋଷ୍ଠୀ ଭୟଭୀତ ବା ଚିନ୍ତିତ ହୋଇପଡୁଥିଲେ। ଆଜିର ପରିସ୍ଥିତିକୁ ଦେଖିଲେ ସେହି ଭୟ ସମ୍ପୂର୍ଣ୍ଣ ଭାବେ ଛାଡ଼ିଗଲାଣି। ୟୁରୋପୀୟ ଦେଶଗୁଡ଼ିକ ମଧ୍ୟ ଆମେରିକାଠାରୁ ଭୟ ଛାଡ଼ି ହାତ ମିଳାଇବାକୁ ଅନିଚ୍ଛୁକ ବୋଲି ପ୍ରଦର୍ଶନ କରିସାରିଲେଣି। ପୂର୍ବରୁ ଦୁଇ ମେରୁ ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏଟ୍ ରୁଷିଆ ନିଜ ମଧ୍ୟରେ ସମଗ୍ର ପୃଥିବୀକୁ ବାଣ୍ଟି ନେଇଥିଲେ। ବିଶେଷକରି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ଅଧିକ ପରିଲକ୍ଷିତ ହୋଇଥିଲା। ଆଜିର ସ୍ଥିତିରେ ପୃଥିବୀର ଆମୂଳଚୂଳ ପରିବର୍ତ୍ତନ ଘଟିଲାଣି, ଯେଉଁଥିରେ ଦୁଇ ପରିବର୍ତ୍ତେ ଅନେକ ମେରୁ ସୃଷ୍ଟି ହେବାର ସୁଯୋଗ ତିଆରି ହେଲାଣି।
ଦୁଃଖଦ ବିଷୟ ଯେ, ନୂଆ ବିଶ୍ୱ ବ୍ୟବସ୍ଥାରେ ଭାରତ କେବଳ ଏକ ଦର୍ଶକ ଭାବେ ରହିଯାଇଛି। ଏପରିକି ଭାରତ କିଣିଥିବା ଏଲ୍ପିଜି ବୋଝେଇ ଜାହାଜକୁ ଚାଇନା ଛଡ଼େଇ ନେଇପାରିଲା। ଆମେ ଗୃହଶାନ୍ତି ପୂଜା କଲାଭଳି ଘର ଭିତରେ ରହି ନିର୍ବାଚନ ପ୍ରଚାର କରିବାରେ ବ୍ୟସ୍ତ ରହିଲୁ। ଆମ ପାଇଁ ପାକିସ୍ତାନ ହେଉଛି ମହାବଳ ବାଘ ଏବଂ ସେହି ଦେଶକୁ ଅଭଦ୍ର ଭାଷାରେ ଗାଳିଦେଇ ଧମକାଇ ପାରିଲେ ଆମେ ବିଶ୍ୱରେ ଶକ୍ତିଶାଳୀ ବୋଲି ପ୍ରମାଣିତ ହେବା ସହ ମୁସଲମାନ ଧର୍ମକୁ ଆଞ୍ଚ ଆଣିପାରିଲୁ ବୋଲି ଭାବୁଛୁ। ସେଥିପାଇଁ ଯୁଦ୍ଧ ଆରମ୍ଭ ହେବା ପୂର୍ବଦିନ ଭାରତ ଏବଂ ଇସ୍ରାଏଲ ଉଭୟ ଦେଶ ଭିତରେ ବନ୍ଧୁତ୍ୱ ଦେଖେଇ ସର୍ବସମ୍ମୁଖରେ ଧେଇ ଧେଇ ହେଲେ। ଏବେ ସେହି ନିର୍ବୋଧତାର ପରିଣାମ ଦେଖିବାକୁ ବାକି ଅଛି।