କାମ କରିବାକୁ ଯାଇ ତେଲଙ୍ଗାନାରେ ଦାଦନ ଶ୍ରମିକ ନିଖୋଜ, ଏସ୍‌ପିଙ୍କ ଦ୍ବାରସ୍ଥ ହୋଇ ସହାୟତା ମାଗିଲେ ପରିବାର

ବଲାଙ୍ଗୀର, ୮।୧୦ (ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅଞ୍ଚଳର ଜଣେ ଦାଦନ ଶ୍ରମିକ ତେଲଙ୍ଗାନାର ମେହବୁବ ନଗରକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ତାଙ୍କର କୌଣସି ଖୋଜ ଖବର ନ ମିଳିବା ପରେ ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇ ମଙ୍ଗଳବାର ବଲାଙ୍ଗୀର ଏସ୍‌ପିଙ୍କ ଦ୍ବାରସ୍ଥ ହୋଇ ସହାୟତା ମାଗିଛନ୍ତି । ପରିବାର ଲୋକେ ଗଣମାଧ୍ୟମକୁ କହିଛନ୍ତି ଯେ, ଗତ ସେପ୍ଟେମ୍ବର ୫ ତାରିଖ ଦିନ ମୁରିବାହାଲ ଥାନା ଅନ୍ତର୍ଗତ ନୂଆଁପଡା (ଜଇଁନ୍ତରା) ଗାଁର ଜଣେ ଦାଦନ ସର୍ଦ୍ଦାର ସେହିଁ ଗାଁର ନେପାଳ ପଟ୍ଟନାୟକ (୨୭)ଙ୍କୁ କାମ କରିବା ପାଇଁ ତେଲଙ୍ଗାନାର ମେହେବୁବ ନଗରକୁ ନେଇ ଯାଇଥିଲେ। ଗୋଟିଏ ମାସ କାମ କରିବା ପରେ ସେଠାରୁ ସେ ଫେରି ଆସିବେ ବୋଲି କହିଥିଲେ। ସେଠାରେ ପହଞ୍ଚିବା ପରେ ଏକ ଇଟାଭାଟିରେ ତାଙ୍କୁ କାମ କରିବାକୁ କୁହାଯାଇଛି ବୋଲି ଫୋନ କରି ପରିବାର ଲୋକଙ୍କୁ ନେପାଳ ଜଣାଇଥିଲେ। ଘରୁ ଗଲା ଦିନରୁ ସେ ସେପ୍ଟେମ୍ବର ମାସର ୨୪ ତାରିଖ ପର୍ଯ୍ୟନ୍ତ ପ୍ରାୟ ପ୍ରତିଦିନ ଫୋନ ଯୋଗେ ଘର ଲୋକଙ୍କ ସହ କଥା ହେଉଥିଲେ।

ଇତିମଧ୍ୟରେ ଦାଦନ ସର୍ଦ୍ଦାର ଜଣଙ୍କ ଗାଁକୁ ଫେରିଥିଲେ ମଧ୍ୟ ନେପାଳଙ୍କ ସମ୍ପର୍କରେ ପରିବାର ଲୋକଙ୍କୁ କିଛି ସୂଚନା ଦେଇନଥିଲେ। ଗତ ୩୦ ତାରିଖ ଦିନ ମେହେବୁବନଗର ଇଟାଭାଟିରେ କାମ କରୁଥିବା ଜଇଁନ୍ତରା ପାଖ ଗାଁର କେତେଜଣ ବ୍ୟକ୍ତି ନେପାଳଙ୍କ ଘରେ ପହଞ୍ଚୁ ଘର ଲୋକଙ୍କୁ ସେ ଘରକୁ ଆସିଲା କି ବୋଲି ପଚାରିଥିଲେ। ସେ ଘରକୁ ଫେରିନାହିଁ ବୋଲି ପରିବାର ଲୋକେ କହିବା ପରେ ସେଠାରେ କିଛି ଅଘଟଣ ଘଟିଛି କି ପଚାରି ବୁଝ କହି ସେମାନେ ଚାଲିଯାଇଥିଲେ। ଏହାପରେ ପରିବାର ସଦସ୍ୟ ନେପାଳଙ୍କୁ ଫୋନ କରିଥିଲେ । କିନ୍ତୁ ରିଙ୍ଗ ହେବା ସତ୍ତ୍ବେ ସେ ତାଙ୍କ ମୋବାଇଲ ଫୋନ ଉଠାଇ ନ ଥିଲେ। ଏହାପରେ ପରିବାର ଲୋକେ ଚିନ୍ତିତ ହୋଇପଡିଥିଲେ। ଘଟଣା ସମ୍ପର୍କରେ ପରିବାର ଲୋକେ ମୁରିବାହାଲ ଥାନାରେ ଜଣାଇଥିଲେ। ତେବେ ପୋଲିସ ନେପାଳଙ୍କ ସମ୍ପର୍କରେ ତଦନ୍ତ କରିବା ପରିବର୍ତ୍ତେ ପରିବାର ଲୋକଙ୍କୁ ଦୁବ୍ୟବହାର ପ୍ରଦର୍ଶନ କରିବାରୁ ସେମାନେ ବାଧ୍ୟହୋଇ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ନେପାଳ ଏବେ କେଉଁଠି ଏବଂ କିଭଳି ଅବସ୍ଥାରେ ଅଛନ୍ତି ପରିବାର ଲୋକେ ଜାଣି ପାରୁନାହାନ୍ତି। ଫଳରେ ତାଙ୍କର ସନ୍ଧାନ କରିବାକୁ ପରିବାର ସଦସ୍ୟ ଏସ୍ପିଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି ।