ନୂଆପଡ଼ା,୧୫ା୧ (ମକାରୁ ବେମାଲ):ଆଦିବାସୀ ଅଧ୍ୟୁଷିତ ନୂଆପଡ଼ା ଜିଲାରେ ଦାଦନ ଶ୍ରମିକଙ୍କ ଦୁଃଖ ସରିବାର ନାଁ ନେଉନାହିଁ। ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକ କେତେବେଳେ ଶବ ହୋଇ ତ ଆଉ କେତେବେଳେ ଅକର୍ମଣ୍ୟ ହୋଇ ଘରକୁ ଫେରୁଛନ୍ତି। ଏଭଳି ଏକ ଘଟଣାକ୍ରମେ ଜଣେ ଶ୍ରମିକ ଟ୍ରେନ୍ରେ ଘରକୁ ଫେରୁଥିବା ବେଳେ ତାଙ୍କର ଦୁଇ ପାଦ କଟିଯାଇଛି। ସେ ହେଲେ ଜୋଙ୍କ ଥାନା ଭଇଁଷାତାଳ ପଞ୍ଚାୟତ ମୁଡେଲା ଗାଁର ସନ୍ତୁ ମାଝି (୪୬)। ସେ ଏବେ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଘଟଣା ଗତ ୧୦ତାରିଖରେ ହୋଇଥିଲେ ହେଁ ବୁଧବାର ଲୋକଲୋଚନକୁ ଆସିଛି। ସୂଚନା ଅନୁଯାୟୀ, ସନ୍ତୁଙ୍କ ପରିବାର କହିଲେ ସ୍ତ୍ରୀ ଓ ଝିଅପୁଅଙ୍କ ସହ ୬ ଜଣ ସଦସ୍ୟ ରହିଛନ୍ତି। ପରିବାର ଭରଣପୋଷଣ ପାଇଁ ସେ ଜଣେ ଦାଦନ ସର୍ଦ୍ଦାରଙ୍କ ମାଧ୍ୟମରେ ଗତ ନଭେମ୍ବରରେ ଉତ୍ତରପ୍ରଦେଶର ଅଯୋଧ୍ୟାକୁ ଇଟା ତିଆରି କରିବା ପାଇଁ ଯାଇଥିଲେ। ଧାନ ବିକ୍ରୟ ପାଇଁ ସେ ଗତ ୧୦ତାରିଖରେ ଟ୍ରେନ୍ ଯୋଗେ ଗାଁକୁ ଫେରୁଥିଲେ ା ଛତିଶଗଡ଼ର ଆରଙ୍ଗ ଷ୍ଟେଶନ ନିକଟରେ କୌଣସି କାରଣରୁ ଗୋଡ଼ ଖସିଯିବାରୁ ସେ ଟ୍ରେନ୍ରୁ ପଡିଯାଇଥିଲେ। ଫଳରେ ତାଙ୍କର ଦୁଇପାଦ କଟିଯାଇଛି। ଗୁରୁତର ଅବସ୍ଥାରେ ରେଲୱେ ପୋଲିସ ତାଙ୍କୁ ଉଦ୍ଧାର କରି ରାୟପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲା। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି ା ଖବର ପାଇ ପରିବାର ଲୋକେ ରାୟପୁରରେ ପହଞ୍ଚତ୍ଛନ୍ତି। ତାଙ୍କୁ ଉତ୍ତରପ୍ରଦେଶ ନେଇଥିବା ଦାଦନ ସର୍ଦ୍ଦାରଙ୍କ ପକ୍ଷରୁ କୌଣସି ସହଯୋଗ ମିଳି ନ ଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବିନା ପଞ୍ଜିକରଣରେ ଶ୍ରମିକମାନଙ୍କୁ ନେଉଥିବା ଦାଦନ ସର୍ଦ୍ଦାରଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କଂଗ୍ରେସ ଜିଲା ସଭାପତି ଘାସିରାମ ମାଝି ଦାବି କରିଛନ୍ତି ା