ନୂଆଦିଲ୍ଲୀ,୪ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଗୁରୁବାର ଭାରତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନ ବନ୍ଦରରେ ତାଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଛନ୍ତି। ସାଧାରଣତଃ ପ୍ରଧାନମନ୍ତ୍ରୀମାନେ ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କୁ ବିମାନ ବନ୍ଦରରେ ପାଛୋଟି ନେବାର ନିୟମ ନ ଥିବାବେଳେ, ପ୍ରଧାନମନ୍ତ୍ରୀ ମୋଦିଦୀଙ୍କ ଏହି ବିରଳ କୂଟନୈତିକ ସୌଜନ୍ୟତା ଭାରତ-ରୁଷ ସମ୍ପର୍କର ଗୁରୁତ୍ୱକୁ ଦର୍ଶାଉଛି।
ମୋଦି ଦିଲ୍ଲୀର ପାଲମ୍ ବିମାନ ବନ୍ଦରରେ ପୁଟିନଙ୍କୁ ସ୍ୱାଗତ କରିବା ପରେ ଉଭୟ ନେତା ଏକାଠି ଗୋଟିଏ କାର୍ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯାତ୍ରା କରିଥିଲେ। ସାଂଘାଇ ସହଯୋଗ ସମ୍ମିଳନୀ (SCO) ସମୟରେ ଉଭୟ ନେତା ଚାଇନାର ତିଆନଜିନ୍ରେ ପୁଟିନଙ୍କ କାର୍ରେ ଯାତ୍ରା କରିବା ପରେ ଏହା ଦ୍ୱିତୀୟ ଥର ପାଇଁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଉଭୟଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ସୁସମ୍ପର୍କକୁ ଦର୍ଶାଉଛି।
ପ୍ରଧାନମନ୍ତ୍ରୀ ମୋଦି ଅତୀତରେ କେତେକ ବିଶିଷ୍ଟ ବିଦେଶୀ ନେତା ଯଥା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ, ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା, ଏବଂ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଏହିପରି ବିମାନ ବନ୍ଦରରେ ସ୍ୱାଗତ କରିଛନ୍ତି।
ଶୁକ୍ରବାର ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ୨୩ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହେବ, ଯେଉଁଥିରେ ପ୍ରତିରକ୍ଷା ଓ ବାଣିଜ୍ୟ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା ହେବ।